ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ ଚର୍ଚ୍ଚିତ ଚେହେରା ବରିଷ୍ଠ ଆଇଏଏସ ଅଫିସର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ନୂଆ ଦାୟିତ୍ବ ଭାର ସମ୍ଭାଳିବେ IAS ଭି.କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ 5T ସଂପର୍କିତ ସମୀକ୍ଷା କରିବେ ଓ ମୁଖ୍ୟମନ୍ତ୍ରୀଙ୍କ 5Tର ସଚିବ ଭାବେ ନୂତନ ଦାୟିତ୍ବ ଭାର ଗ୍ରହଣ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।
ଗତ କିଛି ଦିନ ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କିଏ ହେବେ ସେ ନେଇ ପାୱାର କରିଡରରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ଜୋଗ ଧରିଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ରାଜେଶ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏଭଳି ସମସ୍ତ ପ୍ରଶ୍ନର ଉତ୍ତର ସ୍ପଷ୍ଟ ହୋଇଛି।
ମୁଖ୍ୟମନ୍ତ୍ରୀ ତାଙ୍କ 19ବର୍ଷର ଶାସନ ମଧ୍ୟରେ ପ୍ରଥମ କରି ଉଭୟ ପଦବୀ ଜଣଙ୍କ ହାତରେ ଦେଇଛନ୍ତି। ଦୁଇଟି ଯାକ ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହୁଏତ ଅନ୍ୟ କୌଣସି ଅଧିକାରୀ ଙ୍କ ଉପରେ ଆସ୍ଥା ପ୍ରକଟ କରିପାରିନାହାନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟର ଟପ୍ ଦୁଇଟି ପଦବୀ ଏବେ ପାଣ୍ଡିଆନଙ୍କ ହାତରେ।
ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ 5-ଟି ମନ୍ତ୍ରର ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି, ଟିମ ୱାର୍କ, ଟାଇମ ଓ ଟ୍ରାସଫରମେସନ ଭଳି ପାଞ୍ଚଟିକୁ ଗୁରୁତ୍ବ ପ୍ରଦାନ କରିବାକୁ କହିଥିଲେ । ଏହା ଲୋକମାନଙ୍କୁ ସ୍ବଚ୍ଛ ଶାସନ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ରହିଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ