ଭୁବନେଶ୍ବର: ଆସନ୍ତାକାଲି ପର୍ଯ୍ୟନ୍ତ ଗୃହମୁଲତବୀ । ଗୃହରେ ସ୍ବର୍ଗତ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଆସନ୍ତାକାଲି (ସୋମବାର) ସକାଳ 10ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଯାହାକୁ ଉଭୟ ବିରୋଧି ସମର୍ଥନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିବା ପରେ ଏହାକୁ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ସମର୍ଥନ କରି ଦୁଃଖିତ ଓ ମର୍ମାହିତ ବୋଲି ବିବୃତି ରଖିଥିଲେ । ମହାରଥୀଙ୍କ ବିୟୋଗରେ ତାଙ୍କ ପରିବାର ଓ ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ ପ୍ରଦୀପ୍ତ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।
ସ୍ବର୍ଗତ ମହାରଥୀ କେବଳ ଜଣେ ସଫଳ ରାଜନେତା ନ ଥିଲେ ବରଂ ଜଣେ ସଫଳ ଚାଷୀ ମଧ୍ୟ ଥିଲେ। ସର୍ବସାଧାରଣରେ ସେ ଜଣେ ଜନପ୍ରିୟ ନେତା ଥିଲେ । ଲୋକଙ୍କ ସୁରକ୍ଷା ପାଇଁ ସେ ସବୁ ସ୍ତରକୁ ଯାଉଥିଲେ । ପ୍ରଥମ ଦିନରୁ ହିଁ ସେ ମୋତେ ଭାଇନା ବୋଲି ସମ୍ବୋଧନ କରୁଥିଲେ ଓ ମୁଁ ତାଙ୍କୁ ସାନ ଭାଇ ଭାବେ ଦେଖୁଥିଲି । ଏ ସମ୍ପର୍କ ଚିରଦିନ ପାଇଁ ରହିବ । 1990 ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଠନ ପରେ ଏକ ଘଟଣାବଳୀକୁ ଉପସ୍ଥାପନ କରି ତାଙ୍କର ଜନପ୍ରିୟତା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ଅଭିନୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ