ଭୁବନେଶ୍ବର: ଅଗଷ୍ଟ ଗାଇଡଲାଇନ ଅନୁସାରେ ଆଜି(ଗୁରୁବାର)ଠୁ ରାଜ୍ୟରେ ଖୋଲିଲା ସିନେମା ହଲ । କୋଭିଡ କଟକଣା ମାନି ସିନେମା ହଲକୁ ପ୍ରବେଶ କରିଛନ୍ତି ଦର୍ଶକ । ସରକାରଙ୍କ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଦର୍ଶକକୁ ନେଇ ଖୋଲିଛି ସିନେମା ହଲ ।
ରାଜ୍ୟରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ଯାତ୍ରା, ସିନେମା ହଲ ବନ୍ଦ କରିଦେଇଥିଲେ ରାଜ୍ୟ ସରକାର । ଫଳରେ ହଲ ମାଲିକ ଓ ଯାତ୍ରା କଳାକାରମାନେ ଗୁଜୁରାଣ ମେଣ୍ଟାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଣୁ କଟକଣା ସହ ଏହାକୁ ଆଖି ଆଗରେ ରଖି ଏବେ ସରକାର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ, ଯାତ୍ରା ପେଣ୍ଡାଲ ଖୋଲିବାକୁ ଅନୁମତି ଦେଇଥିଲେ । ଅନୁମତି ମିଳିବା ପରେ ମାଲିକମାନେ ହଲର ସାନିଟାଇଜ କରିବା ସହ ପୁରା ପ୍ରସ୍ତୁତିରେ ଲାଗିଥିଲେ । ହଲିଉଡ ଚଳଚ୍ଚିତ୍ର ‘The Suicide Squad’ ସହିତ ଆଜିଠାରୁ ହଲ ମାଲିକମାନେ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ।
ତେବେ ଆଜିଠୁ ସରକାରଙ୍କ ଏସଓପି ଅନୁସାରେ ହଲ ଖୋଲାଯାଇଛି । ପ୍ରଥମ ଦିନରେ କାଁଭାଁ ଲୋକ ଆସିଥିବା ବେଳେ ହଲିଉଡ ଚଳଚ୍ଚିତ୍ର ସୁଇସାଇଡ ସ୍କ୍ବାର୍ଡକୁ ନେଇ ଚାଲିଥିଲା ହଲ । କଟକଣା ସହ ହଲ ଖୋଲିବାକୁ ଅନୁମତି ଥିବା ବେଳେ ଭଲ ସିନେମା ଆସିଲେ ସ୍ବାଭାବିକ ଭାବେ ହଲ ଚାଲିବ ବୋଲି ଆଶା କରିଛନ୍ତି ହଲ ମାଲିକ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ