ଭୁବନେଶ୍ବର: ରାଜଧାନୀରେ ଶିଶୁ ତସ୍କରୀ । ଶିଶୁ ତସ୍କରଙ୍କ ନଜରରେ ବସ୍ତି ପିଲା । ବସ୍ତି ପିଲାଙ୍କ ନିରୀହତାର ସୁଯୋଗ ନେଇ କରୁଛନ୍ତି ବେପାର। ଭୁବନେଶ୍ୱରରୁ ରାଜ୍ୟ ବାହାରକୁ କରୁଛନ୍ତି ଶିଶୁ ଚାଲାଣ । ଆଉ ରାତାରାତି ହେଉଛନ୍ତି ମାଲେମାଲ । ପୁରୀ ଓ ବେଙ୍ଗାଲୁରୁକୁ ଚାଲାଣ ହୋଇଥିବା ଦୁଇ ଶିଶୁ ଉଦ୍ଧାର ପରେ ସାମ୍ନାକୁ ଆସିଛି ଶିଶୁ ତସ୍କରୀର ସତ । ଭରତପୁର ଥାନା ପଣ୍ଡା କୁଦିଆରି ବସ୍ତିର ଦୁଇ ଶିଶୁ ପୁତ୍ରଙ୍କୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କଲା ଚାଇଲ୍ଡ ଲାଇନ ।
୨ଜଣଙ୍କ ମଧ୍ୟରୁ ଜଣକୁ ପୁରୀ ଚନ୍ଦନପୁର ଓ ଆଉ ଜଣକୁ ଵେଙ୍ଗାଲୁରୁକୁ ପଠାଯାଉଥିଲା । ଜଣଙ୍କର ବୟସ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ମାତ୍ର ୧୨ ବର୍ଷ । ଏହି ଦୁଇ କୋମଳମତି ଶିଶୁଙ୍କ ହାତରେ ଘରର କାମ କରାଇବା ଉଦ୍ଦେଶ୍ୟରେ ଅର୍ଥାତ ଶିଶୁ ଶ୍ରମିକ ଭାବେ ନେଇ ନିୟୋଜିତ କରିଥିଲେ ଦଲାଲ । ଏନେଇ ଚାଇଲଡ ଲାଇନ ଖବର ପାଇବା ପରେ ଶିଶୁଙ୍କୁ ରଖିଥିବା ଦୁଇ ଲୋକଙ୍କୁ ଯୋଗାଯୋଗ କରିଥିଲେ ଏବଂ ଆଇନର ଦଣ୍ଡବିଧାନ ନେଇ ଅବଗତ କରିବା ପରେ ଦୁଇ ଶିଶୁକୁ ଉଦ୍ଧାର କରାଯାଇଥିଲା । ତେବେ ଏହି ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି ଚାଇଲ୍ଡ ଲାଇନ ଅଧିକାରୀ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ