ଭୁବନେଶ୍ବର: ଜାନୁଆରୀ 16 ତାରିଖରୁ ବିଜୁଳି କାଟିବା ନେଇ ସେସୁ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ସେସୁ ବିଭାଗରେ କାର୍ଯ୍ୟରତ ଏସ୍ଡ଼ିଓ ମାନେ ନିଜ ଅଞ୍ଚଳରେ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ। ଲାଇନ କାଟିବା ନେଇ ନିଜ ନିଜ ଅଞ୍ଚଳରେ ସ୍କ୍ବାର୍ଡର ପରିଚାଳନା ଦାୟିତ୍ବ ଏସଡ଼ିଓ ମାନଙ୍କର ରହିବ ।
ଆଲୋଚନା ଅନୁଯାୟୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଲାଇନ କାଟିବା ସହ ସକାଳ 8ଟା ଭିତରେ ଲାଇନ କାଟିବା ନେଇ ସ୍ବତନ୍ତ୍ର ସ୍କ୍ବାର୍ଡକୁ ଅବଗତ କରାଇବେ। ପ୍ରତି ଗାଁ ଏବଂ ରୁଟରେ ବିଜୁଳି କାଟ 25 ଜାନୁଆରୀ 2020 ସୁଦ୍ଧା ଅନ୍ତତଃ ପ୍ରଥମ ପର୍ଯ୍ୟାୟ ସାରିବାକୁ ନିର୍ଦ୍ଦେଶ ଦେଇଛି ସେସୁ। 26 ଜାନୁଆରୀ 2020ରୁ 05 ଫେବ୍ରୁଆରୀ 2020 ସୁଦ୍ଧା ବିଜୁଳି କାଟର ଦ୍ବିତୀୟ ପର୍ଯ୍ୟାୟ ସାରିବାକୁ ନିର୍ଦ୍ଦେଶ। ଯେହେତୁ ବିଜୁଳି କାଟର ପ୍ରଥମ 5 ଦିନ ଗୁରୁତ୍ବପୂର୍ଣ୍ଣ ତେଣୁ ବିଜୁଳି କାଟ ସ୍କ୍ବାର୍ଡ କୌଣସି ଅପ୍ରୀତିକର ପରିସ୍ଥିତି ନଘଟିବା ପାଇଁ ଆବଶ୍ୟକୀୟ ପନ୍ଥା ଗ୍ରହଣ କରିବାକୁ ସେସୁ ପରାମର୍ଶ ଦେଇଛି।
ସ୍ବତନ୍ତ୍ର ଡ୍ରାଇଭର ମୁଖ୍ୟ ଉଦ୍ଦେଶ୍ୟ ବିଜୁଳି କାଟ ନୁହେଁ ବରଂ କାଟିବା ପଛରେ ମହତ ଉଦ୍ଦେଶ୍ୟ ରହିଛି । ବିଜୁଳି କାଟ ଆଳରେ ସର୍ବାଧିକ ବକେୟା ବିଜୁଳି କର ଆଦାୟ ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରତ୍ୟେକ ସ୍କ୍ବାର୍ଡ ଲିଡ଼ର ଏବଂ ସ୍କ୍ବାର୍ଡ ସଦସ୍ୟ ମାନେ ବୁଝିବା ଆବଶ୍ୟକ। ଦୈନନ୍ଦିନ ସ୍କ୍ବାର୍ଡ ପରିଦର୍ଶନ ଯିବା ସମୟରେ ଅନ୍ତତଃ 30 ରୁ 40 ହିତାଧିକାରୀଙ୍କ ବିଜୁଳି କର ଆଦାୟ ନେଇ କାର୍ଯ୍ୟକ୍ରମ କରାଯିବା ଦରକାର।
ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ହିତାଧିକାରୀ, ଦ୍ବିତୀୟ ପର୍ଯ୍ୟାୟରେ ଘରୋଇ ହିତାଧିକାରୀ ଯେଉଁମାନେ ମାସିକ 100 ୟୁନିଟ ବ୍ୟବହାର କରୁଥିବେ ଏବଂ ସେମାନଙ୍କ ବକେୟା ବିଜୁଳି କର 25,000ଟଙ୍କା ତଳକୁ ଥିବ। ମାସିକ 100 ୟୁନିଟ ଏବଂ 5,000 ଟଙ୍କା ବକେୟା ବିଜୁଳି କର ଥିବ। ତୃତୀୟ ପର୍ଯ୍ୟାୟରେ ଯେଉଁ ହିତାଧିକାରୀ ଗତବର୍ଷ ବିଜୁଳି କର ଦେଇଛନ୍ତି କିନ୍ତୁ ଚଳିତ ବର୍ଷ କର ପୈଠ କରିନାହାନ୍ତି ।
ହିତାଧିକାରୀର ସମସ୍ତ ସୂଚନା ରହିବା ଜରୁରୀ ତେଣୁ ଆଗରୁ ଏଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛି ସେସୁ। ଲାଇନ କାଟିବା ବେଳେ କୌଣସି ହିତାଧିକାରୀଙ୍କ ସହ କୌଣସି ବଚସା, ଯୁକ୍ତିତର୍କ କରିବେ ନାହିଁ । କୌଣସି ଅପ୍ରୀତିକର ପରିସ୍ଥିତ ଠାରୁ ନିବୃତ ରହିବେ। ହିତାଧିକାରୀ ଅନୁରୋଧ କଲେ ତାକୁ ତର୍ଜମା କରିବାରେ ସହାୟତା କରିବେ। ନିୟମ ଅନୁଯାୟୀ ମିଟର ବସିବା ବାଧ୍ୟତାମୂଳକ। ଗ୍ରାମାଞ୍ଚଳରେ ବିଜୁଳି କାଟ ସମ୍ପୂର୍ଣ୍ଣ ଗାଁକୁ ନୁହେଁ ବରଂ 4,5ଟି ଉପଭୋକ୍ତାଙ୍କ ଲାଇନ କାଟ ହେବ। ଲାଇନ କାଟିବା ପୂର୍ବରୁ ହିତାଧିକାରୀଙ୍କୁ ଅବଗତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆପାତକାଳୀନ ସେବା ଯୋଗାଇ ଦେଉଥିବା ଅନୁଷ୍ଠାନ ଯଥା ହସ୍ପିଟାଲ, ଜିଲ୍ଲା ପ୍ରଶାସନକୁ ପରିସର ଭୁକ୍ତ ନକରିବା ନେଇ ସେସୁ ନିର୍ଦ୍ଦେଶ ଦେଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ