ଭୁବନେଶ୍ବର: ସ୍ମାର୍ଟ ହେଉଛି ସ୍ବାସ୍ଥ୍ୟ ସେବା । ସ୍ବାସ୍ଥ୍ୟ କ୍ଷେତ୍ରକୁ ସୃଦୁଢ କରିବାକୁ ଅଣ୍ଟା ବିଢିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ହୋଇଛି । ଅନେକ ଜିଲ୍ଲାରେ ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ଜାରି ରହିଛି । ଆଜି(ଗୁରୁବାର) କେନ୍ଦୁଝରରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲଥ କାର୍ଡ । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।
ଏହି କାର୍ଯ୍ୟକ୍ରମ ଭର୍ଚ୍ଚୁଆଲ ମାଧ୍ୟମରେ ହେବା ନେଇ ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଦ୍ବାରା ଏହି ସ୍ମାର୍ଟ କାର୍ଡ ଲୋକଙ୍କୁ ସ୍ମାର୍ଟ ସହାୟତା ପ୍ରଦାନ କରିବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ ।
ଏହା ପୂର୍ବରୁ ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି । ମାଲକାନଗିରିରୁ ପ୍ରଥମେ ଆରମ୍ଭ ହୋଇଥିଲା ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା । ରାଜ୍ୟରେ ସାଢେ 3 କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟବାସୀଙ୍କୁ ସମୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏହାର ଲକ୍ଷ୍ୟ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ