ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶହ ଶହ BPEd(ବ୍ୟାଚଲର ଇନ ଫିଜିକାଲ ଏଜୁକେସନ) ଛାତ୍ରଛାତ୍ରୀ । ପିଲାଙ୍କ ଭୟରେ ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ମୁଖ୍ୟ ଫାଟକକୁ ତାଲା ପକାଇ ଦିଆଯାଇଛି । ତେବେ ଛାତ୍ରଛାତ୍ରୀ ନିକଟରେ ପ୍ରକାଶିତ 1260 ହାଇସ୍କୁଲ PET ପଦବୀର ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଦାବିରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ଗ୍ରାଜୁଏସନ ଯୋଗ୍ୟତା ଆଧାରରେ ସେମାନେ BPEd ପଢ଼ିବାକୁ ଯୋଗ୍ୟ ହୋଇଥିଲେ । ଏବେ କିନ୍ତୁ ସରକାର ବାହାର କରିଥିବା ପଦବୀ ଲାଗି +2ରେ ସାଧାରଣ ବର୍ଗ ପିଲାଙ୍କ 50% ମାର୍କ, ଅନ୍ୟ ବର୍ଗ ପିଲାଙ୍କର 45% ମାର୍କ ସହ BPEd ମାଗୁଛନ୍ତି । ଏହା ଯୋଗୁଁ +2ରେ କମ ମାର୍କ ରଖିଥିବା ବହୁ BPEd ଛାତ୍ରଛାତ୍ରୀ PET ଆବେଦନରୁ ବାଦ ପଡ଼ିବେ । ଏମିତିକି ସେମାନଙ୍କ BPEd ପାଠପଢ଼ା ମୂଲ୍ୟହୀନ ହୋଇଯିବ ।
ଏନେଇ ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଇ ନଥିଲା । ତେଣୁ ସେମାନେ ଆଜି ନିର୍ଦ୍ଦେଶାଳୟ ଘେରାଉ କରିଛନ୍ତି । ତେଣୁ ତୁରନ୍ତ PET ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଲାଗି ଦାବି କରିଛନ୍ତି ସେମାନେ । ଦାବି ପୂରଣ ନ ହେବା ଯାଏଁ ନିର୍ଦ୍ଦେଶାଳୟ ସମ୍ମୁଖରୁ ନ ଉଠିବାକୁ ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ