ଭୁବନେଶ୍ବର: ପୁଣି ଥରେ ଜାଲେଣି ଗ୍ୟାସ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଗତକାଲି(ବୁଧବାର) ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ଏନେଇ ପୂର୍ବରୁ ଦଳ ଘୋଷଣା କରିଥିଲେ ମଧ୍ୟ 10 ଦିନ କେନ୍ଦ୍ର ସରକାରଙ୍କୁ ମହଲତ ଦେଇଥିଲା । ତେବେ କେନ୍ଦ୍ର ସରକାର ଗ୍ୟାସ ଦର ହ୍ରାସ କରି ନଥିବାରୁ ଘୋଷଣା ମୁତାବକ ଆନ୍ଦୋଳନ କରିବ ବିଜେଡି ।
ଶାସକ ଦଳର ଏହି ଆନ୍ଦୋଳନକୁ ନେଇ ଆଜି(ଗୁରୁବାର) ବର୍ଷିଛନ୍ତି ବିରୋଧୀ । ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ସରକାରୀ ଦଳ ନିଜେ ନିଜ ଜାଲରେ ପଡିଛି । ମମିତା ମେହେର ଘଟଣାକୁ ନେଇ ସରକାରଙ୍କ ପାଖରେ କୌଣସି ଉତ୍ତର ନାହିଁ । ମମିତା ମେହେର ଘଟଣା ଖାଲି ଆଉ ରାଜନୈତିକ ପ୍ରସଙ୍ଗ ହୋଇ ରହିନାହିଁ । ଏହି ପ୍ରସଙ୍ଗ ଏବେ ଜନସାଧାରଣଙ୍କ ହୋଇସାରିଛି । ଗାଁ ଗାଁ ରେ ରାଜ୍ୟ ସରକାରଙ୍କୁ ଲୋକେ ଜବାବ ମାଗୁଛନ୍ତି । ସରକାର ନିରୁପାୟ । ଏହି ଆନ୍ଦୋଳନ ଚାଲିବ । 2024 ପର୍ଯ୍ୟନ୍ତ ଲଢେଇ ହେବ । ଯେ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ ଆନ୍ଦୋଳନ ବନ୍ଦ ହେବ ନାହିଁ । ସରକାର ଚାପରେ ଥିବାରୁ ମୁକାବିଲା କରିବା ପାଇଁ ଶାସକ ଦଳ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ ଉଠାଇଛି । କିଏ ମନା କାଲ ଆନ୍ଦୋଳନ କରିବାକୁ ? ରାଜନୈତିକ ଦଳ ଆନ୍ଦୋଳନ କରିବାର ଅଧିକାର ଅଛି । କିନ୍ତୁ ମମିତା ମେହେର ପ୍ରସଙ୍ଗରେ କଣ ଉତ୍ତର ଦେବେ ବୋଲି ପ୍ରଦୀପ ପାଲଟା ଆକ୍ରମଣ କରିଛନ୍ତି ବିଜେଡିକୁ ।
ସେହିପରି କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ କହିଛନ୍ତି, ମହିଳାଙ୍କ ପାଖରେ ବିଜେଡି ବିଶ୍ବସନୀୟତା ହରାଇଛି । ବିଜେଡି ଏସଏଚଜି ଗୋଷ୍ଠୀଙ୍କ ବ୍ୟାଙ୍କ ଲିଙ୍କ ଲୋଭ ଦେଖାଇ ଆନ୍ଦୋଳନ କରୁଛି। କିନ୍ତୁ ବିଜେଡିର କୌଣସି ଚାଲ ଆଉ କାମ ଚଳିବ ନାହିଁ । ଲୋକେ ଏହାର ଜବାବ ଦେବେ ।
ଅନ୍ୟପଟେ ଉଭୟ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ । ବିଜେଡି ଏବଂ ନବୀନ ସରକାର ମହିଳାଙ୍କ ବିକାଶ ଦିଗରେ ସବୁବେଳେ କାର୍ଯ୍ୟ କରୁଛନ୍ତି। ମହିଳାଙ୍କ ବିକାଶ ପାଇଁ ସରକାର ସମର୍ପିତ । ତେଣୁ ବିଜେଡି କୌଣସି ମତେ ଭୟଭୀତ ନୁହେଁ । ବରଂ ବିରୋଧୀ ଭୟଭୀତ । କାରଣ ଆସନ୍ତା ନିର୍ବାଚନରେ ଜନସାଧାରଣ ବିଜେଡିକୁ ଅଧିକ ଭୋଟ ଦେଇ ବିଜୟୀ କରାଇବେ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ