ଭୁବନେଶ୍ବର: ପିଛା ଛାଡୁନି ବିବାଦ । ପୁଣି ବିବାଦରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ରାତି ଅଧରେ ଏକ ଟ୍ବିଟ କରି ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଲାଇକ ପାଇବାକୁ କରିଛନ୍ତି ନିବେଦନ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଫଲୋଅର୍ସମାନେ ଖୁବ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି ।

ଜୁଲାଇ ୩ ମଧ୍ୟରାତ୍ରି ୨.୫୦ ରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏହି ଟ୍ବିଟ୍ କରିଛନ୍ତି। ସଲମାନଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି, 'ସଲମାନ ଖାନ୍, ସାର୍ ଭାଇଜାନ୍, ଆପଣଙ୍କଠାରୁ କ’ଣ ଗୋଟିଏ ଲାଇକ୍ ପାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ, ଦୟାକର । ଲଭ୍ ୟୁ ଭାଇଜାନ । ଯଦିଓ ଆପଣ ମୋତେ କେବେ ପସନ୍ଦ କରନ୍ତି ନାହିଁ।'

ସାଂସଦଙ୍କର ଏହି ଟ୍ବିଟ ପରେ ଫଲୋଅର୍ସମାନେ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । କେହି କେହି ସାଂସଦଙ୍କର ଏହା ପାଗଳାମି ବୋଲି କହିବା ସହ ସାଂସଦ ନିଶା ସେବନ କରି ଏପରି ରାତି ଅଧିଆ ଟ୍ବିଟ କରିଛନ୍ତି ବୋଲି କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି । ଏହାସହ କେହି ଏପରି ମଧ୍ୟ କମେଣ୍ଟ ଦେଇଛନ୍ତି, ଜଣେ ସାଂସଦଙ୍କ ଠାରୁ ଏହା ଆଶା କରାଯାଏ ନାହିଁ । ଏହା ଅତି ନିନ୍ଦନୀୟ ।

ତେବେ ଏଠାରେ କହି ରଖୁଛୁ ଯେ ନିକଟରେ ବିମାନ ଚଳାଚଳ ସ୍ବାଭାବିକ ହେବାପରେ ଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିଥିଲେ ସାଂସଦ। ପରେ ଟ୍ବିଟ କରି ଲେଖିଥିଲେ "ଆଜି ପ୍ରଥମ କରି ବିମାନ ଚଳାଚଳ କରିବା ପରେ ସକାଳର ପ୍ରଥମ ବିମାନରେ ମୁଁ ଓଡ଼ିଶା ଫେରିବା ସମୟର ଫଟୋ । ମୋ ଓଡ଼ିଶା ମାଟିର ବାସ୍ନା ଓ ସତେଜ ପବନ ହେଉଛି ବିଶ୍ବର ସର୍ବୋତ୍ତମ ଅନୁଭବ" । ଯାହା ପରେ ଅନୁଭବ ଖୁବ ଟ୍ରୋଲ ହୋଇଥିବା ଦେଖିବାକୁ ମିଳିଥିଲା ।