ଭୁବନେଶ୍ବର: ରାଜ୍ୟରେ ମହିଳାଙ୍କ ସମେତ ସେ ନିଜେ ଅସୁରକ୍ଷିତ ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sadangi )ଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ଭୁବନେଶ୍ବରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା (Bjd Mla Ananta Narayan Jena) ଏନେଇ ରଖିଛନ୍ତି ପ୍ରତିକ୍ରିୟା । ମାଡାମ ଅପରାଜିତା ଗୁଣ୍ଡା ବାହିନୀ ଧରି ବୁଲୁଛନ୍ତି ବୋଲି ସଂଗୀନ ଅଭିଯୋଗ କରିଛନ୍ତି ଅନନ୍ତ।
ଅନନ୍ତ କହିଛନ୍ତି ଯେ, ଗତକାଲି କିଛି ବସ୍ତି ବାସିନ୍ଦା(ମହିଳା) ଆଚାର୍ଯ୍ୟ ବିହାର ଅଞ୍ଚଳରେ( Acharya Vihar Attack Incident) ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ କିଛି ଗୁଣ୍ଡା ଶ୍ରେଣୀର ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ । ସେହି ବାଟ ଦେଇ ଯାଉଥିବା ଅପରାଜିତା ମାଡାମ ଓହ୍ଲାଇ ସେମାନଙ୍କୁ ସୁରକ୍ଷା ଦେଲେ ନାହିଁ । କିମ୍ବା ସାନ୍ତ୍ବନା ଦେଲେ ନାହିଁ । ଏନେଇ ଲୋକମାନେ ଅପରାଜିତା ମାଡାମଙ୍କୁ ତାଙ୍କ ଦୁଃଖ ବିଷୟରେ ଜଣାଇବାକୁ ଗଲେ । ସେହି ସମୟରେ ସେମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରାଯାଇଛି । ମୁଁ ଅପରାଜିତା ମାଡାମଙ୍କୁ ପଚାରିବାକୁ ଚାହେଁ, ସେ ସାଧାରଣ ଲୋକଙ୍କୁ ଏତେ ଭୟ କାହିଁକି କରୁଛନ୍ତି ?
ରାଜ୍ୟରେ କୌଣସି ଜନ ପ୍ରତିନିଧି ନିଜ ସାଙ୍ଗରେ ଗୁଣ୍ଡା ବାହିନୀ ରଖି ନାହାନ୍ତି । ଯେଉଁ ମାନେ ମାଡାମଙ୍କ ସହ ବୁଲୁଛନ୍ତି ତାଙ୍କ ନାମରେ ଥାନାରେ ଏତଲା ରହିଛି । ବିଜେପିରେ ଅନେକ ବଡ ବଡ ନେତା ମନ୍ତ୍ରୀ ରହିଛନ୍ତି । କେହି ବି ଏପରି ନିଜ ସାଙ୍ଗରେ ଗୁଣ୍ଡା ବାହିନୀ ଧରି ବୁଲୁ ନାହାନ୍ତି । ଓଡିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ଅପରାଜିତା । ମାଡାମ ଅପରାଜିତା ଏପରି ନକରିବାକୁ ଅନନ୍ତ ପରାମର୍ଶ ଦେଇଛନ୍ତି । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଏଠି ଅଶାନ୍ତି ଓ ବିଶୃଙ୍ଖଳା କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଅନନ୍ତ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ