ଭୁବନେଶ୍ବର: ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡର ଐତିହାସିକ ବିଜୟ ପରେ ବିଏମ୍ସି ନିର୍ବାଚନରେ ଦଳରେ ଅନେକ କର୍ପୋରେଟର ପଦ ପାଇଁ ଦାବିଦାର ଥିଲେ । ଅନେକ ପୁରୁଖା ନେତା ଯେଉଁମାନେ ୩ରୁ ୪ଥର କର୍ପୋରେଟର ରହିଆସିଛନ୍ତି ସେମାନେ ମଧ୍ୟ ଦଳୀୟ ଟିକେଟ ପାଇଁ ଅନେକ ଆଶା କରିଥିଲେ । ହେଲେ ଏଥର ଅନେକ ନୂଆ ମୁହଁକୁ ସୁଯୋଗ ମିଳିଛି । ଏହାକୁ ନେଇ ବିଜେଡି ପାଇଁ କାର୍ଯ୍ୟ କରିଆସୁଥିବା ଅନେକ ନେତା ବା କର୍ମୀ ଦଳୀୟ ଟିକେଟରୁ ବାଦ୍ ପଡ଼ି ଯାଇଛନ୍ତି ।
ଏହାକୁ ନେଇ ଭୁବନେଶ୍ବରର ଅନେକ ୱାର୍ଡରେ ଅସନ୍ତୋଷ ଦେଖାଯାଇଛି । ଅସନ୍ତୁଷ୍ଟ ସ୍ୱାଧୀନ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଉ ଏହି ଅସନ୍ତୋଷଙ୍କୁ ନେଇ ପୌର ନିର୍ବାଚନରେ ଦଳ ଅକଳରେ ପଡ଼ିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ଏହି ଅସନ୍ତୁଷ୍ଟ ବା ବିଦ୍ରୋହୀଙ୍କୁ ବୁଝାଇବା ପାଇଁ ବିଜେଡି ପକ୍ଷରୁ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ପ୍ରୟାସ ଜାରି ରହିଥିଲା । ଏହାକୁ ନେଇ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାର୍ଥୀ ଓ ସମର୍ଥକଙ୍କ ଭିଡ ଜମିଥିଲା ।
କିଛି ପ୍ରାର୍ଥୀ ବୁଝିଯାଇ ନାମାଙ୍କନ ପ୍ରତ୍ଯାହାର କରିଥିବାବେଳେ ଆଉ କିଛି ଅବୁଝାଙ୍କୁ ଦଳ ବୁଝାଇବାରେ ଅସଫଳ ହୋଇଛି । କିଛି ଅସନ୍ତୁଷ୍ଟଙ୍କ ଦଳ ପ୍ରତି ଥିବା ତ୍ୟାଗ ଓ କର୍ମୀଙ୍କ ଆଶା ମଉଳିଯାଇଥିବା ଦେଖିବାକୁ ମିଳିଛି । ସେପଟେ ବିଜେଡିର ନିର୍ବାଚନ ସମୀକରଣରେ ଅନେକ ଭୁଲଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଏହା ଦଳ ପାଇଁ ନିର୍ବାଚନ ମୈଦାନର ପ୍ରାର୍ଥୀଙ୍କ ଜିତିବା ପାଇଁ ଏକ ବଡ଼ ଆହ୍ୱାନ ହୋଇ ଛିଡା ହେବ । ଅସନ୍ତୋଷଙ୍କ ମଧ୍ୟରେ ରାଜଧାନୀର ୪୬, ୧୯ ଓ ୩୫ ନମ୍ବର ୱାର୍ଡରେ ପ୍ରାର୍ଥୀ ନିଜ ମତରେ କାଏମ ରହି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଏହାକୁ ନେଇ ଉତ୍ତର ବିଧାୟକ କହିଛନ୍ତି ସାଧାରଣ ଲୋକମାନେ ବିଜୁ ଜନତା ଦଳ ସହ ଅଛନ୍ତି । ଆମ ଭିତରେ କୌଣସି ମତଭେଦ ନାହିଁ । ଧୀରେ ଧୀରେ ଅସନ୍ତୁଷ୍ଟ ବି ବୁଝିଯିବେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ