ଭୁବନେଶ୍ବର: ବିଜେଡି ନିଶାନାରେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ ଆଉ କେତେବେଳେ ଦଳୀୟ ନେତା ଓ ମୁଖପାତ୍ର, କିଛି ନା କିଛି ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ଟାର୍ଗେଟ କରୁଛି ଦଳ। କେବଳ ବୈଜୟନ୍ତ ନୁହଁନ୍ତି ବରଂ ତାଙ୍କ ସଂସ୍ଥାକୁ ବି ଟାର୍ଗେଟ କରିଛି ଦଳ ।
2014 ନିର୍ବାଚନରେ ସେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ ବୋଲି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି । ଆବଶ୍ୟକୀୟ ଦସ୍ତାବିଜ ସହ ଦଳ ପ୍ରମାଣ କରିବା ପାଇଁ ଚେଷ୍ଟା କରିଛି କି, ସେ କିପରି ପ୍ରତ୍ୟେକ୍ଷ ଭାବେ ଇମ୍ଫା ସହ ଜଡିତ । ଯଦିଓ ବୈଜୟନ୍ତ କହିଥିଲେ କି ଇମ୍ଫା ପରିଚାଳନା ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତେବେ ବିଜେଡିର କହିବା କଥା, 2014 ମେ ମାସରେ ଇମ୍ଫାର ଯେଉଁ ପରିଚାଳନା ବୋର୍ଡ ବୈଠକ ବସିଥିଲା ସେଥିରେ କମ୍ପାନୀ ପାଇଁ ପାଣ୍ଠି ଯୋଗାଡ଼ କଥା ସେ ନିଶ୍ଚିତ କରିଥିଲେ।
ଶ୍ରେୟା ଇନଫ୍ରା ଫାଇନାନ୍ସ ଲିମିଟେଡ଼ ଓ ଆଇସିଆଇସିଆଇ ବ୍ୟାଙ୍କରୁ ଯେଉଁ ଋଣ କରିଥିଲେ ସେ ନେଇ କମ୍ପାନୀକୁ ଅବଗତ କରାଇଥିଲେ। ଯାହାକି ପ୍ରମାଣିତ କରୁଛି କି ଇମ୍ଫା ସହ ସେ ପ୍ରତ୍ୟେକ୍ଷ ଭାବେ ଜଡିତ। ଏଥିପାଇଁ ସେ ସଂସଦର ଅର୍ଥ ସଂକ୍ରାନ୍ତୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ ଯାହାକି ସମ୍ଭବ ହୋଇ ପାରିନଥିଲା ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ସେପଟେ ବିଜେପି ବି ଏହାର ଜବାବ ରଖିଛି। ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରି କହିଛନ୍ତି, ବୈଜୟନ୍ତ ବିଜେପିରେ ଯୋଗ ଦେବା ପରଠୁ ବିଜେଡି ରକ୍ତ ଚାଉଳ ଚୋବାଉଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ