ଭୁବନେଶ୍ବର: ଆଗୁକୁ ଅଛି ବହୁ ଚର୍ଚ୍ଚିତ ବିଜେପୁର ଉପନିର୍ବାଚନ । ଏନେଇ ତାରିଖ ଘୋଷଣା ହେବା ସହ ବିଜେଡି ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଛି । ଏବର୍ଷ ପାରମ୍ପରିକ ପ୍ରତିଦ୍ବନ୍ଧୀ ବିଜେଡି ଓ ବିଜେପି ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି ।

ଚଳିତ ବର୍ଷ ନିର୍ବାଚନ ଲଢିବା ପାଇଁ ବିଜେଡି ପକ୍ଷରୁ ପୁଣି ମୈଦାନକୁ ଓହ୍ଲାଇଛନ୍ତି ସ୍ବର୍ଗତ ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁ । ହେଲେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ନିର୍ବାଚନ ଲଢିବା ପାଇଁ ଆର୍ଥିକ ସହାୟତା ଭିକ୍ଷା କରିଛି ।
ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସହାୟତା ଲୋଡିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗତ ସାଧାରଣ ନିର୍ବାଚନରେ ଦଳର ନେତା ସବୁ ଅର୍ଥ ଖର୍ଚ୍ଚ କରିଦେଇଛନ୍ତି। ତାଙ୍କ ପାଖରେ ଆଉ ଟଙ୍କା ନାହିଁ କି ଦଳର ମଧ୍ୟ ସାମର୍ଥ୍ୟ ନାହିଁ। ତେଣୁ ଏଭଳି ସଙ୍କଟ ପରିସ୍ଥିତିରେ ଖୋଦ ମଙ୍ଗୁଆଳ ଲୋଡିଛନ୍ତି ଆର୍ଥିକ ସହାୟତା।
ଏନେଇ ଦଳ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଜାରି କରିଛି। ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସିଣ୍ଡିକେଟ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବର-୮୦୦୧୨୨୦୦୦୧୬୦୪୮, ଆଇଏଫଏସସି କୋଡ୍ – ଏସୱାଇଏନବି୦୦୦୮୦୦୧ରେ ନଗଦ ଅବା ଚେକ୍ ଆକାରରେ ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀର କେଜ୍ରିୱାଲ ସରକାର ଭଳି ଓଡ଼ିଶାରେ କଂଗ୍ରେସ ଏହି ଫର୍ମୁଲା ଲାଗୁ କରି କ୍ଷମତାକୁ ଫେରିବା ପାଇଁ ଏହା ଏକ ଉଦ୍ୟମ ବୋଲି କୁହାଯାଉଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ