ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ । ଏନେଇ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଓ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ । ପଶ୍ଚିମ ଓଡ଼ିଶାରେ ୧୧୪୩ଟି ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇ ନ ପାରି ପଡ଼ିରହିଥିବା ଯୋଗୁଁ ଅସିତ କ୍ଷୋଭ ପ୍ରକାଶ କରିଛନ୍ତି । ଆସନ୍ତା ଏପ୍ରିଲ ୧୫ ତାରିଖ ମଧ୍ୟରେ ଏଗୁଡ଼ିକର କାର୍ଯ୍ୟ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ପଶ୍ଚିମ ଓଡିଶାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅସିତଙ୍କ ନିର୍ଦ୍ଦେଶ ବୁଧବାର ଭିଡ଼ିଓ କନ୍ଫରେନ୍ସରେ ରାଜ୍ୟର ପଶ୍ଚିମାଞ୍ଚଳର 11ଟି ଜିଲ୍ଲାର ଯୋଜନା ଓ ତଦାରଖ ୟୁନିଟ୍ର ଉପନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରିଛନ୍ତି ଅସିତ୍ । ଅସଂପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୁରୁଣା ଢାଞ୍ଚାରେ ସଂସ୍କାର ଆଣି କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପାରଦର୍ଶୀ ଓ ତ୍ୱରିତ ସମ୍ପାଦନ ସକାଶେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।ରାଜ୍ୟ ସରକାର ପରିଷଦର ବଜେଟ 2 ଗୁଣା ବୃଦ୍ଧି କରିଛନ୍ତି । ତେଣୁ ପରିଷଦର ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି । ଜିଲ୍ଲାଗୁଡ଼ିକ ବିକାଶ ଲାଗି ନୂତନ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଦେବାକୁ ଅସିତ୍ ତ୍ରିପାଠୀ କହିଛନ୍ତି । ଆଗାମୀ ଦିନରେ ଜିଲ୍ଲାଗୁଡ଼ିକର ଫିଜିବିଲିଟି ରିପୋର୍ଟ ପାଇବା ପରେ ଅର୍ଥ ମଞ୍ଜୁରୀ କରାଯିବ ବୋଲି ସେ ଜଣାଇଛନ୍ତି । ପୂର୍ବରୁ ଅର୍ଥ ମଞ୍ଜୁରୀ ପରେ ଫିଜିବିଲିଟି ରିପୋର୍ଟ ଆସୁଥିବାରୁ କେତେକ କ୍ଷେତ୍ରରେ କାମ ଆରମ୍ଭ କରାଯାଇ ପାରୁନଥିଲା । ପ୍ରାପ୍ତ ଅନୁଦାନ ଫେରସ୍ତ କରିବାକୁ ପଡ଼ୁଥିଲା । ତେଣୁ ସେଥିରେ ଏବେ ପରିବର୍ତ୍ତନ ଅଣାଯାଇ ନୂଆ ଫରମାଟ୍ ପ୍ରସ୍ତୁତ କରି ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି ।ପ୍ରତି 15 ଦିନରେ ଥରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ଅସିତ ସମୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି । ଏଣିକି ଅନୁଦାନ ଅର୍ଥ ଜିଲ୍ଲାକୁ ଦେବା ପରିବର୍ତ୍ତେ ସିଧାସଳଖ ନିର୍ବାହୀ ସଂସ୍ଥାକୁ ପ୍ରଦାନ କରାଯିବ । ଏହି ନୂତନ ପଦକ୍ଷେପ ଉପରେ ଜିଲ୍ଲାଗୁଡ଼ିକରୁ ସେ ମତାମତ ଲୋଡ଼ିଛନ୍ତି । ଶେଷ ହୋଇଥିବା ପ୍ରକଳ୍ପର ବିନିଯୋଗ ପତ୍ର ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ପରିଷଦର ମୁଖ୍ୟ ନର୍ବାହୀ ଅଧିକାରୀ ସରୋଜ କୁମାର ପଟେଲ, ଉପନିର୍ଦ୍ଦେଶକ ଦେବୀପ୍ରସାଦ ମହାନ୍ତି, ଡି.ଓ ସୁଜାତା ମହାରଣା, ବିତ୍ତ ଅଧିକାରୀ ଦେବରାଜ ମଣ୍ଡଳ ଓ କାର୍ଯ୍ୟକ୍ରମ ପରିଚାଳକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ