ଭୁବନେଶ୍ବର: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀରେ ଭକ୍ତି ଅର୍ଘ୍ୟ ସ୍ୱରୂପ ୨୪ ଘଣ୍ଟାର ଅବିରତ ବଂଶୀ ବଜାଇଲେ ବଂଶୀବାଦକ । ରାଜ୍ୟ ତଥା ରାଜ୍ୟ ବାହାରର ଓ ସୁଦୂର ଜର୍ମାନୀର ୧୧ ବଂଶୀବାଦକ ପ୍ରଭୁଙ୍କ ଅତିପ୍ରିୟ ବଂଶୀ ସ୍ଵରରେ ନିଜର ପ୍ରତିଭା ପ୍ରଦର୍ଶନ କରି ସୁମଧୁର ଭକ୍ତିର ଅର୍ଘ୍ୟ ଅର୍ପଣ କରିଛନ୍ତି ।
ପ୍ରଖ୍ୟାତ ବଂଶୀବାଦକ ପଦ୍ମ ବିଭୂଷଣ ହରିପ୍ରସାଦ ଚୌରାସିଆଙ୍କ ଘାଟିକିଆ ସ୍ଥିତ ବୃନ୍ଦାବନ ଗୁରୁକୂଳ ଆଶ୍ରମରେ ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବଂଶୀର ଧୂନ ଶୁଣିବାକୁ ମିଳିଥିଲା । ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇ ଗୁରୁବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଉଜାଗର ରହି ବଂଶୀବାଦକମାନେ ବର୍ଷର ଏହି ପବିତ୍ର ଦିନରେ ବିଭିନ୍ନ ରାଗ ଗାନ କରିଛନ୍ତି । ଆଉ ବିଭୁପ୍ରେମରେ ନିଜେ ଭିଜିବା ସହ ଶ୍ରୋତାଙ୍କୁ ବି ଭିଜାଇଛନ୍ତି । ଜନ୍ମାଷ୍ଟମୀର ସ୍ୱତନ୍ତ୍ର ଦିନରେ ଗୁରୁକୂଳର ସମ୍ପାଦକ ଦିଗବିଜୟ ସିଂ ଚୌହାନ ଏହି କାର୍ୟକ୍ରମର ଆୟୋଜନ କରି ଥିବାବେଳେ ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ବଂଶୀବାଦକ ଗୁରୁ ହରିପ୍ରସଦାଙ୍କ ଶିଷ୍ୟ ରୂପକ କୁଲକର୍ଣ୍ଣୀଙ୍କ ନେତୃତ୍ୱରେ ବେଶ୍ ସୁନ୍ଦର ଭାବେ ପରିବେଷଣ ହୋଇଥିଲା ଏହି ବଂଶୀବାଦନ ।
ଗୁରୁ ହାରିପ୍ରସାଦ ଆସିପାରିନଥିଲେ ସତ କିନ୍ତୁ ଶାସ୍ତ୍ରୀୟ ସଂଗୀତ ପ୍ରତି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବାର ଏହି ନିଆରା ପ୍ରୟାସ ବାସ୍ତବିକ ବେଶ ପ୍ରଶଂସନୀୟ ଏବଂ ଗୁରୁଶିଷ୍ୟ ପରମ୍ପରାର ଜ୍ୱଳନ୍ତ ନିଦର୍ଶନ । ତେବେ ଗୁରୁ ହରିପ୍ରସାଦଙ୍କର 2ଟି ଗୁରୁକୂଳ ଆଶ୍ରମ ମଧ୍ୟରୁ ଗୋଟିଏ ମୁମ୍ବାଇ ଓ ଓଡ଼ିଶାରେ ମାଗଣାରେ ବଂଶୀବାଦନ ଶିଖାଯାଇଥାଏ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ