ଝାରସୁଗୁଡା: ପଶ୍ଚିମ ଓଡ଼ିଶା ପାଇଁ ଖୁସି ଖବର । ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର । ମହାମାରୀକୁ ମାତ୍ ଦେବା ପାଇଁ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ ହସ୍ପିଟାଲ । 20 ଆଇସିୟୁ (ICU) ଶଯ୍ୟା ଓ 120 ଶଯ୍ୟା କୋଭିଡ ଯୁକ୍ତ ହସ୍ପିଟାଲକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର ।
ଝାରସୁଗୁଡାର ବନ୍ଧବାହାଲରେ ପ୍ରତିଷ୍ଠା କରାଯିବ ଜିଲ୍ଲାର ଏହି ଦ୍ବିତୀୟ କୋଭିଡ ହସ୍ପିଟାଲ । ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏହି ହସ୍ପିଟାଲ ପରିଚାଳନା କରାଯିବ । ଏହାସହ ଝାରସୁଗୁଡ଼ାରେ ଥିବା କୋଭିଡ ହସ୍ପିଟାଲରେ 20 ଭେଣ୍ଟିଲେଟର ଆଇସିୟୁ ବେଡ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ।
ଝାରସୁଗୁଡା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋରୋନା ସଂକ୍ରମଣ ସମୟରେ ପ୍ରଥମ କୋଭିଡ ହସ୍ପିଟାଲ କରାଯାଇଥିଲା । ଏହି କୋଭିଡ ହସ୍ପିଟାଲରେ 2ଶହ ଶଯ୍ୟା ରହିଥିବାବେଳେ ମାତ୍ର 5ଟି ଭେଣ୍ଟିଲେଟର ରହିଥିଲା । ଦ୍ୱିତୀୟ ଲହର କୋରୋନା ସଂକ୍ରମଣକୁ ରୋକିବାକୁ ଜିଲ୍ଲାରେ ଆଉ ଏକ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବରଗଡ ସାଂସଦ ସୁରେଶ ପୁଜାରୀ ସରକାରଙ୍କ ନିକଟରେ ଦାବି କରିଥିଲେ । ଏହାକୁ ନେଇ ଜିଲ୍ଲାପାଳ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାରେ କୋଭିଡ ପରିଚାଳନା ଓ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ କରିବାକୁ ଭୀମସାର ଓ ଏସସିବି ମେଡିକାଲ କଲେଜରୁ ଅଧିକ ପିଜି ଡାକ୍ତରଙ୍କୁ ପଠାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।
କୋରୋନାର ଦ୍ବିତୀୟ ଲହର ରାଜ୍ୟ ବିଭିନ୍ନ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି । ମହାମାରୀକୁ ରୋକିବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । କୋରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ