ଭୁବନେଶ୍ବର: ଅନଲାଇନ ରିଟେଲ କମ୍ପାନୀ ଆମାଜନର ସିଇଓ ଜେଫ ବେଜୋସ ଆସନ୍ତା 15 ଓ 16 ତାରିଖ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଭାରତ ସରକାରଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ବ୍ୟବସାୟିକ ପଦକ୍ଷେପ ନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି।
ତେବେ ତାଙ୍କର ଏହି ଗସ୍ତକୁ ସର୍ବଭାରତୀୟ ବ୍ୟବସାୟୀ ସଙ୍ଘ ବିରୋଧ କରିବା ସହିତ ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ପ୍ରଦର୍ଶନ କରିବ ବୋଲି ନିଷ୍ପତ୍ତି ନେଇଛି। ଯାହାକୁ ଓଡିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିବା ସହ ରାଜ୍ୟର 8 ରୁ 10 ଟି ସହରରେ ବିଭିନ୍ନ ପ୍ରକାର ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି ।
ଏନେଇ ଓଡିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ସହ ଅଧିକ ଆଲୋଚନା କରିବା ବେଳେ ସେ କେନ୍ଦ୍ର ସରକାରଙ୍କୁ ଅନଲାଇନ ରିଟେଲ ବ୍ୟବସାୟ ଯୋଗେ ହେଉଥିବା ଅସୁବିଧା ସମ୍ପର୍କରେ ସୂଚନା ଦିଆଯାଇଥିବା କହିଛନ୍ତି। ଏହା ସହିତ ଦେଶର 40 କୋଟି ଲୋକ ସିଧାସଳଖ ପ୍ରଭାବିତ ହେଉଥିବା ବେଳେ ଦେଶର ରାଜସ୍ବ ମଧ୍ୟ କ୍ଷତି ହେଉଥିବା ସେ ପ୍ରକାଶ କରିଛନ୍ତି।
ତେଣୁ ସରକାର ଆମାଜନ ସହିତ ଯଦି କୌଣସି ପ୍ରକାର ବ୍ୟବସାୟିକ କ୍ଷତି ଦୃଷ୍ଟିରୁ ନିଷ୍ପତ୍ତି ଗ୍ରହଣ କରନ୍ତି ତେବେ ଆଗାମୀ ଦିନରେ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେ ନେଇ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଥିବା ସେ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ