ଭୁବନେଶ୍ବର: ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ଜାରି ରହିଛି ବିବାଦ । ରାସ୍ତାକୁ ଓହ୍ଲାଇଛନ୍ତି ଯୁବ ବର୍ଗ । ଦେଶରେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଲାଣି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର । କେନ୍ଦ୍ର ସରକାରଙ୍କୁ ଅଗ୍ନିପଥ ଯୋଜନା ଜାଳି ପୋଡି ଧ୍ୱଂସ କରିବ ବୋଲି ନରସିଂହଙ୍କ ଭବିଷ୍ୟବାଣୀ କରିଛନ୍ତି ।
ନରସିଂହ କହିଛନ୍ତି ଯେ, 2014 ନିର୍ବାଚନ ପୂର୍ବରୁ ମୋଦି କହିଥିଲେ, ବର୍ଷକୁ 2 କୋଟି ଲୋକଙ୍କୁ କାମ ଯୋଗାଇ ଦେବୁ । 8 ବର୍ଷରେ 16 କୋଟି ନିଯୁକ୍ତି ମିଳିବା କଥା । ମିଳିଲା ନାହିଁ । ବର୍ତ୍ତମାନ କହୁଛନ୍ତି, ଦେଢ଼ ବର୍ଷ ଭିତରେ 10 ଲକ୍ଷଙ୍କୁ କାମ ଦେବୁ । ଅନ୍ୟପଟେ ଅଗ୍ନିପଥ ଯୋଜନାରେ ଯୁବ ବର୍ଗଙ୍କୁ 4 ବର୍ଷ ପାଇଁ ନିଯୁକ୍ତି ଦେବ । ପେନସନ ଦେବନି । କେବଳ ଅଭିଜ୍ଞତା ପ୍ରମାଣପତ୍ର ହିଁ ଦେବ । 2 କୋଟି ନିଯୁକ୍ତି ଦେବ କହି କେନ୍ଦ୍ର ସରକାର ଯୁବ ବର୍ଗଙ୍କୁ ଭୂତାଇଛନ୍ତି । 2 ଥର ନିର୍ବାଚନ ଜିତିଗଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବହୁତ ବର୍ଷ ପରେ ଭାରତୀୟ ଯୁବକ ସଚେତନ ହୋଇଛନ୍ତି । ଯୁବକ ମାନେ ଏବେ ଅଗ୍ନି ବର୍ଷା କରୁଛନ୍ତି । ଯେଉଁ ଯୋଜନା କରିଛନ୍ତି, ତାହା କେନ୍ଦ୍ର ସରକାରଙ୍କୁ ଜାଳି ପୋଡ଼ି ଧ୍ବଂସ କରିଦେବ ।
ନରସିଂହ କହିଛନ୍ତି ନିଶ୍ଚୟ ଏସରକାର ଧ୍ବଂସ ହେବେ । ଏଥିରେ ସନ୍ଦେହ ନାହିଁ । କଂଗ୍ରେସ ଏହି ଯୋଜନାକୁ ନିନ୍ଦା କରୁଛି । ପ୍ରତିବାଦ କରୁଛି । ଯୁବକମାନଙ୍କ ସଂଗେ ଏଭଳି ଖେଳ ଖେଳନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଉଛି । ଯୁବ ବର୍ଗଙ୍କ ଭବିଷ୍ୟତ ଅନ୍ଧକାରମୟ କର ନାହିଁ । ଯଦି କେନ୍ଦ୍ର ସରକାର ଏନେଇ ପ୍ରତିକ୍ରିୟା ପ୍ରକାଶ ନକନ୍ତି । ଯୋଜନା ପ୍ରତ୍ୟାହାର ନକରନ୍ତି । ଯୁବ ବର୍ଗଙ୍କୁ କାମ ଧନ୍ଦା ନଯୋଗାଇ ଦିଅନ୍ତି । ତେବେ ମୋଦି ସରକାରର ଏହା ଶେଷ ସମୟ ଆସିଗଲା ବୋଲି ଧରିନେବ ବୋଲି ନରସିଂହ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର