ଭୁବନେଶ୍ବର: ପ୍ରକାଶିତ ହୋଇଛି ଏଡିଆର ରିପୋର୍ଟ 2004-2021 । ରିପୋର୍ଟ ଅନୁସାରେ ଦେଶର ବିଭିନ୍ନ ଜାତୀୟ ରାଜନୈତିକ ଦଳ ଆର୍ଥିକ ବର୍ଷ 2004-05 ରୁ 2020-21 ଆର୍ଥିକ ବର୍ଷ ମଧ୍ୟରେ ଅଜ୍ଞାତ ସୁତ୍ରରୁ 15 ହଜାର 77 କୋଟିରୁ ଅଧିକ ଟଙ୍କାର ଅର୍ଥ ଦାନ ପାଇଛନ୍ତି । ଏଡିଆର ନୂଆ ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି । ରିପୋର୍ଟରେ 8ଟି ଜାତୀୟ ଦଳ, 27ଟି ଆଞ୍ଚଳିକ ଦଳକୁ ଅଜ୍ଞାତ ସୁତ୍ରରୁ ମିଳିଥିବା ଅର୍ଥରାଶି ନେଇ ବିଶ୍ଲେଷଣ କରାଯାଇଛି । କେବଳ 2020-21ରେ ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ଦଳ ମାନେ ଅଜ୍ଞାତ ସୁତ୍ରରୁ 690.67 କୋଟି ଟଙ୍କା ଏକାଠି କରିଛନ୍ତି ।
ପ୍ରକାଶିତ ରିପୋର୍ଟ ଅନୁସାରେ ଜାତୀୟ ଦଳ ମଧ୍ୟରେ ବିଜେପି, କଂଗ୍ରେସ, ଟିଏମସି, ସିପିଆଇଏମଏଲ, ଏନସିପି, ବିଏସପି, ସିପିଆଇ, ଏନପିପି ରହିଛନ୍ତି । ସେହିପରି ଆଞ୍ଚଳିକ ଦଳ ମଧ୍ୟରେ ଆପ, ବିଜେଡି, ଡିଏମକେ, ଏଆଇଏଡିଏମକେ, ଶିବସେନା, ଟିଡିପି, ଟିଆରଏସ, ଜେଡିୟୁ, ଜେଏମଏମ,ଆରଏଲଡି, ଶିରୋମଣି ଅକାଳି ଦଳ, ଏମଏନଏସ ପ୍ରମୁଖ ଅଛନ୍ତି ।
ବିଭିନ୍ନ ଦଳ ଦ୍ବାରା ଦାଖଲ ହୋଇଥିବା ଇନକମ ଟାକ୍ସ ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ଆଗରେ ଦାଖଲ ହୋଇଥିବା ଚାନ୍ଦାର ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। 2004-05ରୁ 2020-21 ମଧ୍ୟରେ ଜାତୀୟ ଦଳ ଗୁଡିକ ଅଜ୍ଞାତ ସୁତ୍ରରୁ 1577.97 କୋଟି ଟଙ୍କା ହାସଲ କରିଛନ୍ତି । ଏଡିଆର ରିପୋର୍ଟରେ ଏହା ମଧ୍ୟ କହିଛି 2020-21 ଆର୍ଥିକ ବର୍ଷରେ 8ଟି ରାଷ୍ଟ୍ରୀୟ ଦଳ ଅଜ୍ଞାତ ସୁତ୍ରରୁ 426.74 କୋଟି ଟଙ୍କା ପାଇଛନ୍ତି । 27ଟି ଆଞ୍ଚଳିକ ଦଳ କ୍ଷେତ୍ରରେ ଏହି ଅର୍ଥରାଶିର ପରିମାଣ 263.928 କୋଟି ଟଙ୍କା ରହିଛି । ଅଧିକ ଟଙ୍କା ପାଇବାରେ ରହିଛି କଂଗ୍ରେସ । ଏଡିଆର ରିପୋର୍ଟ ଅନୁସାରେ 2020-21 ଆର୍ଥିକ ବର୍ଷରେ କଂଗ୍ରେସ ଅଜଣା ସୁତ୍ରରୁ 178.782 କୋଟି ଟଙ୍କା ହାସଲ କରିଛି । ଯାହାକି ସମସ୍ତ ରାଷ୍ଟ୍ରୀୟ ଦଳ ପାଇଥିବା ଅର୍ଥରାଶିର 41.89 ପ୍ରତିଶତ । ସେହିପରି ବିଜେପି 100.502 କୋଟି ଟଙ୍କା ପାଇଛି । ଏହା ସମସ୍ତ ରାଷ୍ଟ୍ରୀୟ ଦଳ ପାଇଥିବା ଅର୍ଥରାଶିର 23.55 ପ୍ରତିଶତ ଅଟେ ।
ଅନ୍ୟପଟେ ରିପୋର୍ଟ ଅନୁସାରେ ଆଞ୍ଚଳିକ ଦଳ ମଧ୍ୟରେ ଓ୍ବାଇଏସଆର କଂଗ୍ରେସ 96.2507 କୋଟି, ଡିଏମକେ-80.02 କୋଟି, ବିଜେଡି 67 କୋଟି, ଏମଏନଏସ 5.773 କୋଟି ଏବଂ ଆପ 5.4 କୋଟି ଟଙ୍କା । 2020-21 ଆର୍ଥିକ ବର୍ଷରେ ଜାତୀୟ ଏବଂ ଆଞ୍ଚଳିକ ଦଳ ହାସଲ କରିଥିବା 690.67 କୋଟି ଟଙ୍କାର 47.06 ପ୍ରତିଶତ କେବଳ ନିର୍ବାଚନୀ ବଣ୍ଡରୁ ଆସିଛି । 2004-05ରୁ 2020-21 ମଧ୍ୟରେ କଂଗ୍ରେସ ଏବଂ ଏନସିପି କୁପନ ବିକ୍ରି କରି 4261.83 କୋଟି ଟଙ୍କା ଚାନ୍ଦା ଏକାଠି କରିଥିଲେ ।
ବିଜେଡି ଇଲୋକ୍ଟୋରାଲ୍ ବଣ୍ଡ ମାଧ୍ୟମରେ 67 କୋଟି ପାଇଥିବା ବେଳେ ସ୍ବଚ୍ଛାକୃତ ଦାମ ମାଧ୍ୟମରେ 23 ହଜାର ଏବଂ ଅଜଣା ଉତ୍ସରୁ 11 ହଜାର ପାଇଛି । ଏହା ସହିତ ବିଜେଡି ମଧ୍ୟ ଅନ୍ୟାନ୍ୟ ଅଜଣା ଉତ୍ସରୁ 6 କୋଟିରୁ ଅଧିକ ଲାଭ କରିଛି ।
ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ବିଜେପି ନିଜ ଫଣ୍ଡରେ ସୁଧାର ଆଣିଛି। ବିଜେପି ଲୋକମାନଙ୍କ ପାଖରୁ ଟଙ୍କା ଆଣିଛି। ସବୁ ହ୍ଵାଇଟ ମନି। ବିଜେପିର କାର୍ଯ୍ୟକର୍ତ୍ତାଙ୍କ ପାଖରୁ ଆଜୀବନ ସହଯୋଗ ନିଧି ହିସାବରେ ଆଣିଛି । ବିଜେପି ସ୍ଵଚ୍ଛତାରେ ବିଶ୍ବାସ କରେ। କଂଗ୍ରେସ ବିଜେଡିକୁ ସମାଲୋଚନା କରି ଗୋଲକ କହିଛନ୍ତି କଂଗ୍ରେସ ଶାସନ କ୍ଷମତା ନାହିଁ ହେଲେ 178 କୋଟି ପାଇଛି। କାରଣ କଂଗ୍ରେସ ଦୁର୍ନତୀ କରେ । ବିଜେଡି ଏକ ଆଞ୍ଚଳିକ ଦଳ ହୋଇ ମଧ୍ୟ ତାକୁ 70 କୋଟି ମିଳିଛି। ତେଣୁ ବିଜେପି ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ ମାନେ ଆର୍ଥିକ ସ୍ଵଚ୍ଛତା ରେ ବିଶ୍ବାସ କରନ୍ତି ନାହିଁ ବୋଲି ଗୋଲକ କହିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ଏହି ପ୍ରସଙ୍ଗରେ ଦଳୀୟ ଆଭିମୁଖ୍ୟ ରଖିଛନ୍ତି ।
ADR ରିପୋର୍ଟ କଣ ?
ଗଣତନ୍ତ୍ରରେ ରାଜନୈତିକ ଦଳର ଗୁରୁତ୍ବ ସର୍ବାଧିକ । ରାଜନୈତିକ ଦଳ ନିର୍ବାଚନ ଲଢିଥାନ୍ତି । ସରକାର ଗଠନ କରିଥାନ୍ତି । ଜନତାଙ୍କ ପାଇଁ ନୂଆ ନୂଆ ପଲିସି (ଯୋଜନା) ପ୍ରଣୟନ କରିଥାନ୍ତି । ଏହା ସହିତ ସୁଶାସନ ପ୍ରଦାନ କରି ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିଥାନ୍ତି । ତେବେ ରାଜନୈତିକ ଦଳ କିପରି କାର୍ଯ୍ୟ କରିଥାଏ ? ରାଜନୈତିକ ଦଳ ସମସ୍ତ କାର୍ଯ୍ୟକ୍ରମ ପାଇଁ କେଉଁଠୁ ପାଇଥାଏ ଅର୍ଥ ? କଣ ଲୋକଙ୍କ ନିକଟରୁ ରାଜନୈତିକ ଦଳମାନଙ୍କୁ ମିଳିଥାଏ ଅର୍ଥ ରାଶି ? ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜନୈତିକ ଦଳମାନଙ୍କ ସମସ୍ତ କାର୍ଯ୍ୟକଳାପର ହାସିବ କିତାବ ରଖୁଥିବା ADR ( Association for Democratic Reforms) ।
ପ୍ରକାଶିତ ଏଡିଆର ରିପୋର୍ଟରେ ଏନେଇ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ଜାତୀୟ ଦଳଠୁ ଆରମ୍ଭ କରି ଆଞ୍ଚଳିକ ଦଳମାନଙ୍କ ଫଣ୍ଡିଂ (ଅର୍ଥ ଗ୍ରହଣ/ଅର୍ଥ ଯୋଗାଣ) ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଛନ୍ତି । ଆଉ ଏହି ରିପୋର୍ଟ ଆସିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।
ତେବେ ରାଜନୈତିକ ଦଳମାନେ ଇଲୋକ୍ଟୋରାଲ୍ ବଣ୍ଡ (ରାଜନୈତିକ ଚାନ୍ଦା ବା ଦାନ ସୂତ୍ରରେ ପ୍ରାପ୍ତ ଅର୍ଥ) ମାଧ୍ୟମରେ ବିଶେଷତଃ ଅର୍ଥ ପାଇଥାନ୍ତି । ତେବେ ଏହା ଅନେକ ସମୟରେ ଅଜଣା ସୂତ୍ରରୁ ମଧ୍ୟ ଆସିଥାଏ । ଏହାସହିତ ବର୍ତ୍ତମାନ ସମୟରେ ଯେଉଁ ବ୍ୟକ୍ତି ଇଲୋକ୍ଟୋରାଲ୍ ବଣ୍ଡ ମାଧ୍ୟରେ 20 ହଜାରରୁ କମ୍ ଦାନ ସୂତ୍ରରେ ପ୍ରଦାନ କରୁଛନ୍ତି, ସେମାନଙ୍କ ନାମ ପ୍ରକାଶ କରିବା ନେଇ ରାଜନୈତିକ ଦଳମାନେ ବାଧ୍ୟ ନୁହଁନ୍ତି । ଏହି କାରଣରୁ 36 ପ୍ରତିଶତ ଅର୍ଥର ଉତ୍ସ ସମ୍ପର୍କରେ ତଥ୍ୟ ମିଳିନଥାଏ ।
ଭୁବନେଶ୍ବରରୁ ଲାଲମୋହନ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ