ଭୁବନେଶ୍ବର: ଆଲବମରେ କାମ ଦେବା ଆଳରେ ଦେହ ବ୍ଯବସାୟ ପାଇଁ ବାଧ୍ୟ। ଫୁଲବାଣୀରୁ ଅପହରଣ ପରେ ଭୁବନେଶ୍ୱରରେ ଅସଦାଚରଣ। ଦେହ ଦଲାଲଙ୍କ କବଳରୁ ଖସି ଆସି ଏୟାରଫିଲଡ ଥାନାର ଦ୍ବାରସ୍ଥ ।
ଶୁଣିଲାନି ପୋଲିସ, ମହିଳା କମିଶନରେ ପହଞ୍ଚିଲା ଅଭିଯୋଗ। ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ ଓ ଯୁବତୀ ଚାଲାଣ ରାକେଟର ଖୁଲାସା କରିଛନ୍ତି ଅଭିଯୋଗକାରୀ। ଗତ ୮ ତାରିଖରୁ ଫୁଲବାଣୀରୁ ଅପହରଣ ହୋଇଥିବା ମହିଳା ଏମିତି କରିଛନ୍ତି ଖୁଲାସା ।
ତାଙ୍କ ଅଭିଯୋଗ ଅନୁସାରେ ସେ କଲେଜ ଯାଉଥିବା ସମୟରେ ଜଣେ ଦଲାଲ ତାଙ୍କୁ ଫିଲ୍ମ ନିର୍ଦ୍ଦେଶକ ପରିଚୟ ଦେଇ ଚିହ୍ନା ହୋଇଥିଲେ। ପରେ ତାଙ୍କୁ ଆଲବମ କୁଇନ କରି ଦେବା କହି ଭୁବନେଶ୍ୱର ଆଣି ସୁନ୍ଦରପଦାରେ ରଖିଥିଲେ। ତାଙ୍କୁ ଅସଦାଚରଣ କରିବା ସହ ଗୋଡ ହାତ ବାନ୍ଧି ତାଙ୍କର ନଗ୍ନ ଫଟୋ ଉଠାଇଥିଲେ।
ଯାହାକୁ ନେଇ ସେହି ଅଭିଯୁକ୍ତ ଜଣକ ତାଙ୍କୁ ବ୍ଲାକମେଲ କରିବା ସହ ଗତ ୮ତାରିଖରେ ମାରଣାସ୍ତ୍ର ଦେଖାଇ ଅପହରଣ କରିଥିଲେ। ଦେହ ଦଲାଲଙ୍କ କବଳରୁ ଖସି ଆସି ଏୟାରଫିଲଡ ଥାନାରେ ୨୦ ତାରିଖରେ ପୀଡିତା ପହଞ୍ଚି ଥିଲେ। ତେବେ ପୋଲିସ ଅଭିଯୋଗ ନ ଶୁଣି ତାଙ୍କ ସ୍ବାମୀକୁ ଡକାଇ ତାଙ୍କୁ ଥାନାରୁ ଫେରାଇ ଦେଇଥିଲେ।
ଏନେଇ ଏୟାରଫିଲଡ ପୋଲିସ ଓ ଫୁଲବାଣୀ ଟାଉନ ଥାନା ବିରୋଧରେ ଅଭିଯୋଗ ଶୁଣୁ ନ ଥିବା ନେଇ ମହିଳା କମିଶନରେ ଦ୍ବାରସ୍ଥ ହୋଇଛନ୍ତି ମହିଳା। ତେବେ ମହିଳା ଜଣକ ଏନେଇ ସ୍ବାମୀଙ୍କୁ ଏ ସମ୍ପର୍କରେ ଭୟରେ ଜଣାଇନଥିଲେ। ଗତ ୨୦ତାରିଖରେ ଦେହ ଦଲାଲଙ୍କ କବଳରୁ ଖସିଆସି ସାହସର ସହ ପୋଲିସରେ ଦ୍ବାରସ୍ଥ ହୋଇଥିଲେ।
ତେବେ ପୂର୍ବରୁ ମହିଳା ଜଣକ ଗତ ୬ ତାରିଖରେ ସମ୍ପୃକ୍ତ ଅଭିଯୁକ୍ତ ନାଁରେ ଫୁଲବାଣୀ ଟାଉନ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ତାଙ୍କୁ ଧମକ ଚମକ ଦେବା ସହ ବ୍ଲାକ ମେଲିଂର ଅଭିଯୋଗ ଆଣିଥିଲେ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ