ଭୁବନେଶ୍ବର: ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ 1 ସେପ୍ଟେମ୍ବରରୁ 24 ନଭେମ୍ବର ମଧ୍ୟରେ ବିଭିନ୍ନ ଆରଟିଓ ମାନଙ୍କରେ 8 ଲକ୍ଷ 89 ହଜାର 93 ଜଣ ଆବେଦନକାରୀ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେଥି ମଧ୍ୟରୁ 5 ଲକ୍ଷ 25 ହଜାର 968 ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ସେହିପରି 1 ଲକ୍ଷ 44 ହଜାର 675 ଜଣ ଆବେଦନକାରୀଙ୍କ ମଧ୍ୟରୁ 95 ହଜାର 266 ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ବିଧାନସଭାରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଉତ୍ତର ରଖିଛନ୍ତି ।
ଭୁବନେଶ୍ବର ଆରଟିଓରେ 63 ହଜାର 27 ଜଣ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ କରିଥିବା ବେଳେ 45 ହଜାର 351 ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ସେହିପରି 12 ହଜାର 545 ଜଣଙ୍କ ମଧ୍ୟରୁ 8 ହଜାର 102 ଜଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରଦାନ କରାଯାଇଛି । ସେହିପରି ଆରଟିଓ 2ରେ ମୋଟ 31 ହଜାର 637 ଜଣଙ୍କ ମଧ୍ୟରୁ 24 ହଜାର 987 ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଏବଂ 7 ହଜାର 109 ରୁ 5 ହଜାର 505 ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଆରଟିଓ ଗୁଡିକରୁ 125 ଜଣ ଦଲାଲଙ୍କୁ ଗିରଫ କରାଯାଇଛି ବୋଲି ପରିବହନ ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ