ସମ୍ବଲପୁର: ନୂତନ ଭାବେ ଯୋଗ ଦେବାକୁ ଆସିଥିବା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ବନ୍ଧୁକ ମୁନରେ ଅପହରଣ ଓ ଧମକ ଦେବା ଅଭିଯୋଗରେ 5 ଗିରଫ । ସମ୍ବଲପୁର ଡିଆଇପିଆରଓଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ସମ୍ବଲପୁର ଏସପି ।
ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ରେଳ ଷ୍ଟେସନରୁ ଅଫିସକୁ ଆସୁଥିବା ସମୟରେ ତାଙ୍କ ସରକାରୀ ଡ୍ରାଇଭର ଓ ଷ୍ଟୋର କିପର ସହ ଅନ୍ୟ ତିନିଜଣ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରିବା ସହ ଧମକ ଦେଇଥିଲେ । ଏହା ସହ କାର୍ଯ୍ୟରେ ଯୋଗଦେଲେ ଗଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମିଳିଥିଲା ଧମକ ।
ସମ୍ବଲପୁର ଏସପିଙ୍କ ସୂଚନା ଅନୁଯାୟୀ ଏହି ଘଟଣା ଗତ 28 ତାରିଖ ଦିନ ପ୍ରାୟ 12ଟା ସମୟରେ ଘଟିଛି । ଅଭିଯୋଗ ଅନୁଯାୟୀ ଶନିବାର ସମ୍ବଲପୁର ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର 2 ଜଣ ସରକାରୀ କର୍ମଚାରୀ ଥିବାବେଳେ ଆଉ ତିନିଜଣ ଅସାମାଜିକ ଲୋକ ଥିବାର ଜଣାପଡିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ