ଭଦ୍ରକ: ରାଜ୍ୟରେ ଧିରେ ଧିରେ କୋରୋନା କଟକଣା କୋହଳ ହେବାରେ ଲାଗିଛି । ଆଉ ଆଜି (ରବିବାର) ଠାରୁ କଟକଣାକୁ ବହୁ ମାତ୍ରାରେ କୋହଳ କରିଛନ୍ତି ସରକାର । ମାତ୍ର ସମସ୍ତ ଧାର୍ମିକ ସ୍ଥଳି ଖୋଲିବାର ନିଷ୍ପତି ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି । ତେଣୁ ରାଜ୍ୟ ତଥା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତି ଏବେ ଜିଲ୍ଲା ପ୍ରଶାସନ ଉପରେ ନିର୍ଭର କରୁଛି ।
ତେବେ ଦୀର୍ଘ ମାସ ହେଲା ମନ୍ଦିର ବନ୍ଦ ରହିଥିବାରୁ ସେବାୟତ ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଭକ୍ତମାନେ ମଧ୍ୟ ବାବାଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଆରଡିର ବାବା ଆଖଣ୍ଡଳମଣୀ ମନ୍ଦିର ଖୋଲିବାକୁ ସେବାୟତ ଓ ଭକ୍ତମାନେ ଦାବି କରିଛନ୍ତି । ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ଥିବାରୁ ଦୈନିକ ବହୁ ଭକ୍ତ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି ।
ତେଣୁ କୋଭିଡ ଗାଇଡ ଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସେପଟେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ