ବ୍ରହ୍ମପୁର: ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧକୁ ପୁରିଛି ୫୦ ବର୍ଷ । ହେଲେ ଆଜିବି ଯୁଦ୍ଧରେ ସାମିଲ ଯବାନଙ୍କ ମନରେ ସେଦିନର ପ୍ରତିଟି କ୍ଷଣ ମନେ ରହିଛି । ୧୯୭୧ ମସିହା ଡିସେମ୍ବରରେ ଭାରତର ୧୧ ଟି ଏୟାର୍ବେସ୍ ଉପରେ ପାକିସ୍ତାନର ବାରମ୍ଭାର ଆକ୍ରମଣ ପରେ ଆରମ୍ଭ ହୋଇଯାଇଥିଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ । ପଶ୍ଚିମ ପଟୁ ପାକିସ୍ତାନ ସେନାର ଗତିବିଧି ଉପରେ ଭାରତ ଜବାବ ଦେଇ ପାକିସ୍ତାନର ପ୍ରାୟ ୧୫,୦୧୦ ବର୍ଗ କି.ମି. ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିଥିଲା ।
ଜଳ ,ସ୍ଥଳ ଓ ଆକାଶ ମାର୍ଗରେ ଭାରତୀୟ ସେନା ଯୁଦ୍ଧରେ ଏହାର ପ୍ରଭୂତ୍ୱ ଜାହିର କରିଥିଲେ । ସ୍ଥଳଭାଗରେ ଭାରତୀୟ ସେନା ପାକିସ୍ତାନୀ ସେନାକୁ ଦେଇଥିଲା କଡା ମୁକାବିଲା । କରାଚୀ ବନ୍ଦର ଉପରେ ଭାରତୀୟ ନୌସେନାର ଅତର୍କିତ ଆକ୍ରମଣ ସହିତ ଭାରତୀୟ ବାୟୁସେନାର ଏକ ପ୍ରମୁଖ ଆକ୍ରମଣରେ ପାକିସ୍ତାନର ମୁରିଦ୍ ବେସ୍ର ପ୍ରାୟ ୭୫ରୁ ଉର୍ଦ୍ଧ ଯୁଦ୍ଧ ବିମାନ ନଷ୍ଟ ହୋଇଥିଲା । ଆଉ ଶେଷରେ ଭାରତୀୟ ସୈନ୍ୟଙ୍କ ଆଗରେ ୯୩ ହଜାର ପାକିସ୍ତାନ ସୈନ୍ୟ କରିଥିଲେ ଆତ୍ମସମର୍ପଣ । ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ବଡ଼ ଧରଣର ସେନାର ଆତ୍ମ ସମର୍ପଣ ରହିଥିଲା ବୋଲି ବିବେଚନା କରାଯାଏ ।
ଭାରତ-ପାକ୍ ଯୁଦ୍ଧର ସେହି ବିଜୟ ଏବଂ ସଶସ୍ତ୍ର ବାହିନୀର ବଳିଦାନ ସନ୍ଦେଶକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗତ ଡିସେମ୍ବର ୧୬ ରୁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଠାରୁ "ଅମର ଯବାନ ଜ୍ୟୋତି' ର ଚାରିଗୋଟି ସ୍ୱର୍ଣ୍ଣିମ ବିଜୟ ମଶାଲ ଚାରି ଗୋଟି ଦିଗକୁ ଯାତ୍ରା ଆରମ୍ଭ କରିଥିଲା । ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ଠାରେ ଅବସ୍ଥିତ ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପରିସରରେ ଏହାର ଗୋଟିଏ ଜ୍ୟୋତି ପହଞ୍ଚିବା ପରେ ଏହାକୁ ଭବ୍ୟ ସ୍ୱାଗତ କରାଯିବା ସହ ଆର୍ମି ଏୟାର ଡିଫେନ୍ସ କଲେଜର ଅଧିକାରୀ ମାନଙ୍କ ଉପସ୍ଥିତିରେ କରାଯାଇଥିଲା ସ୍ମୃତିଚାରଣ । ଆଉ ଏହାପରଠୁ ଯୁଦ୍ଧ ସମୟରେ ନିଜର ପରାକ୍ରମ ପ୍ରଦର୍ଶନ କରିଥିବା ବୀର ଯବାନ ମାନଙ୍କୁ ସଲାମ ଜଣାଇବା ସହିତ ସେହି ସମୟର ଯୋଦ୍ଧା ଏବଂ ଶହୀଦଙ୍କ ପରିବାରକୁ କରାଯାଇଥିଲା ସମ୍ୱର୍ଦ୍ଧିତ ।
ଏବେବି ଅନେକଙ୍କ ମନରେ ଜୀବନ୍ତ ହୋଇରହିଛି ସେହି ୧୯୭୧ ଯୁଦ୍ଧର ସ୍ୱର୍ଣ୍ଣିମ ଇତିହାସ । ତେବେ ଯୁଦ୍ଧ ସମୟରେ କିଭଳି ନିଜର ପରାକ୍ରମ ଦେଖାଇଥିଲେ ବୀର ଯବାନ ସେନେଇ ଆମ ଇଟିଭି ଭାରତ କ୍ୟାମେରା ସମ୍ମୁଖରେ ବର୍ଣ୍ଣନା କରିଛନ୍ତି ବ୍ରହ୍ମପୁରର ଅବସରପ୍ରାପ୍ତ ସେନାଧିକାରୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ