ବ୍ରହ୍ମପୁର: ଆଜିଠାରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା (Navratri)। ଆଉ ଦିନ କେଇଟା ପରେ ଦଶହରା । ଏନେଇ ଚଳଚଞ୍ଚଳ ବ୍ରହ୍ମପୁର ସହରର ଶକ୍ତିପୀଠ ସହ ପୂଜା ମଣ୍ଡପ । ନବରାତ୍ରୀର ପ୍ରଥମ ଦିନରେ ଆଜି ମା' ଶୈଳପୁତ୍ରୀଙ୍କୁ ଶକ୍ତିପୀଠରେ ପୂଜାର୍ଚ୍ଚନା କରାଯାଇଛି । ନବରାତ୍ରୀକୁ ନେଇ ଚଳତଚଞ୍ଚଳ ହୋଇ ଉଠିଛି ଗଞ୍ଜାମ ଜିଲ୍ଲାର ସମସ୍ତ ଶକ୍ତିପୀଠ ସହ ପୂଜା ମଣ୍ଡପ । ଚଳିତ ବର୍ଷ ବିନା କଟକଣାରେ ପୂଜା ହେଉଥିବାରୁ ବେଶ ବେଶ ଖୁସି ଅଛନ୍ତି ବ୍ରହ୍ମପୁରବାସୀ ।
ଦୀର୍ଘ ଦୁଇ ବର୍ଷପରେ ପୁଣି ଦଶହରାରେ ଜମିବ ଭକ୍ତଙ୍କ ଗହଳି । ହାତରେ ଆଉ ମାତ୍ର ଦିନ କେଇଟା ଥିବାରୁ ମୂର୍ତ୍ତି ଓ ତୋରଣ ତିଆରିରେ ବ୍ୟସ୍ତ ରହିଛନ୍ତି କାରୀଗର । କେଉଁଠି ମା'ଙ୍କ ମୂର୍ତ୍ତିରେ ରଙ୍ଗ ଦିଆଯାଉଛି ତ ଆଉ କେଉଁଠି ତୋରଣ କାମ ଜାରି ରହିଛି । ଶାନ୍ତି ଶୃଙ୍ଖଳାରେ କିପରି ପୂଜା କରାଯିବ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସେହିପରି ପୂଜା କମିଟି ମଧ୍ୟ ନିଜକୁ ପ୍ରସ୍ତୁତ କରିଛନ୍ତି ।
ସହରର ପ୍ରମୂଖ ସ୍ଥାନରେ ପୂଜା କମିଟି ପକ୍ଷରୁ ମା'ଙ୍କ ପୂଜା କରାଯାଉଥିବା ବେଳେ ଏଭଳି ସମୟରେ କିପରି ଟ୍ରାଫିକ ସମସ୍ୟା ଠାରୁ ଆରମ୍ଭ କରି ବିଦ୍ୟୁତ୍, ପରିମଳ ପ୍ରତି ଦୃଷ୍ଟି ଦିଆଯିବ ସେନେଇ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପଟେ ବିଭିନ୍ନ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ ମା'ଙ୍କ ମୂର୍ତ୍ତି ତିଆରି କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି (ସୋମବାର)) ଠାରୁ ସହରର କେତେକ ପୂଜା ମଣ୍ଡପରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ-ନବରାତ୍ରୀ ପାଇଁ ଚଳଚଞ୍ଚଳ ଭୈରବୀଙ୍କ ପୀଠ, ଜାଣନ୍ତୁ ମା'ଙ୍କ ଉତ୍ପତ୍ତି ଇତିହାସ
ଏନେଇ ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ କହିଛନ୍ତି ଯେ, ''ଚଳିତ ବର୍ଷ ବିନା କଟକଣାରେ ଦୁର୍ଗା ପୂଜାର ଆୟୋଜନ କରାଯାଇଛି । ତେଣୁ କିପରି ସୁରୁଖୁରୁରେ ପୂଜା ହେବ ସେନେଇ ଆଲୋଚନା କରଯାଇଛି । ଟ୍ରିଫିକ, ବିଦ୍ୟୁତ, ଲାଉଡ ସ୍ପିକର, ପେଣ୍ଡାଲ ଅରଗାନାଇଜେସନ, ପାନୀୟ ଜଳ ଯୋଗାଣ, ପରିମଳ ଏହାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।''
ସୁବାରାଓ ଛକ ପୂଜା କମିଟି ସଭାପତି ସଞ୍ଜିତ ପାଣିଗ୍ରାହୀ କହିଛନ୍ତି ଯେ, ''ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଏସଓପି ରହିଛି । ପୂଜା ପେଣ୍ଡାଲ ଗୁଡିକରେ ଏସଓପି ଲଗାଯିବ । ଫଳରେ ସମସ୍ତେ ସଚେତନ ହୋଇପାରିବେ । ଏହା ସହ ସୁରକ୍ଷା ବ୍ୟବସ୍ଥା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଯିବ ।''
ଇଟିଭି ଭାରତ, ବ୍ରହ୍ମପୁର