ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ପଜେଟିଭଙ୍କ ସଂଖ୍ୟା । ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତକୁ ପାଞ୍ଚ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ବାବୁଲା ବେହେରା । ସ୍ଥାନୀୟ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ଏପରି ଘୋଷଣା କରିଥିବା ବେଳେ ସଂକ୍ରମଣରୁ ନିଜ ଅଞ୍ଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ସଟଡାଉନ୍ ଘୋଷଣା କରିଥିବା ସେ କହିଛନ୍ତି ।
ଜଗନ୍ନାଥପୁର ,ସାନ ରଘୁନାଥପୁର , ରଘୁନାଥପୁର ,ସିନ୍ଧୁନଗର ଓ ନରେନ୍ଦ୍ରପୁର ଗାଁ ଗୁଡିକର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି । ଏପରିକି ସେହି ପଞ୍ଚାୟତର କୈଣସି ଲୋକ ବାହାରକୁ ନ ଯିବା ପାଇଁ କୁହାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ପଞ୍ଚାୟତ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସରପଞ୍ଚ । ନରେନ୍ଦ୍ରପୁର ଗାଁର ଜଣେ ବ୍ୟକ୍ତିଙ୍କ କୋରୋନା ପଜେଟିଭ୍ ଚିହ୍ନଟ ହେବା ପରେ ପଞ୍ଚାୟତକୁ ୧୭ ତାରିଖ ପର୍ଯ୍ୟନ୍ତ ସର୍ଟଡାଉନ୍ ଘୋଷଣା କରାଯାଇଛି ।
ଜଣେ ଜଳଖିଆ ଦୋକାନୀ ପଜେଟିଭ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ଧରି ପ୍ରବାସୀ ଓଡିଆଙ୍କ ଟ୍ରେନ ଏହି ପଞ୍ଚାୟତର ଜଗନ୍ନାଥପୁର ରେଳ ଷ୍ଟେସନରେ ରହୁଥିବା ଯୋଗୁଁ ପ୍ରବାସୀ ଓଡିଆଙ୍କ ସଂସ୍ପର୍ଶରେ ଆସି ଦୋକାନୀ ଜଣକ କୋରୋନା ଆକ୍ରାନ୍ତ ହୋଇଥିବା କହିଛନ୍ତି ସରପଞ୍ଚ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ