ବ୍ରହ୍ମପୁର: ଚୋରି ଅଭିଯୋଗରେ ଯୁବକଙ୍କୁ ଗାଁ ଲୋକଙ୍କ ଜୁଲମ । ଖୁଣ୍ଟରେ ବାନ୍ଧିଲେ, ଲଣ୍ଡା କଲେ ଆଉ ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ । ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଡେଙ୍ଗାଉସ୍ତା ଗାଁରେ ।
ଯୁବକ ଜଣଙ୍କ ସ୍ଥାନୀୟ ଛଣମାରି ଗାଁରେ ଥିବା ଏକ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିବା ଅଭିଯୋଗରେ ଗ୍ରାମବାସୀ ଦେଇଛନ୍ତି ଏଭଳି ଶାସ୍ତି । ପୋଲିସ ନିକଟରେ ଅଭିଯୋଗ କରିବା ବଦଳରେ ଆଇନକୁ ହାତକୁ ନେଇଛନ୍ତି । ଘଟଣାର ପୋଲିସ ବିଚାର କରିବା ବଦଳରେ ନିଜେ ନିଜେ କରିଛନ୍ତି ବିଚାର । ଘଟଣା ସମ୍ପର୍କରେ ଜଣାପଡିବା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସପି ।
ପୁରା ଘଟଣା ଏମିତି, ଛଣମାରି ଗାଁରେ ଥିବା ଏକ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଥିଲା । ଚୋରି ଅଭିଯୋଗରେ ଉକ୍ତ ଯୁବକକୁ ଧରିଥିଲେ ଗାଁ ଲୋକେ । ଏହାପରେ ଆରମ୍ଭ ହୋଇଗଲା ଜୁଲମ । ପୋଲିସକୁ ଖବର ଦେବା ବଦଳରେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଆରମ୍ଭ କରିଦେଇଥିଲେ ଅତ୍ୟାଚାର । ଯୁବକଙ୍କୁ ଲଣ୍ଡା କରିବା ସହ ଜୋତାମାଳ ପିନ୍ଧାଇ ଥିଲେ । ଏହାପରେ ଗାଁ ସାରା ବୁଲାଇଥିଲେ । ପରେ ଘଟଣା ସମ୍ପର୍କରେ ଜଣା ପଡିବା ପରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ