ବ୍ରହ୍ମପୁର: ଗଞ୍ଜାମରେ ଗଡିବ ଭୋଟର ସଚେତନତା ରଥ । ସୋମବାର ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭୋଟର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଚଳିତ ନଭେମ୍ବର ୧ ତାରିଖ ଠାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ରଥ ଜିଲ୍ଲାରେ ବୁଲିବ ଏବଂ ଭୋଟରମାନଙ୍କୁ ଭୋଟର ତାଲିକାରେ କିଭଳି ନାମ ପଞ୍ଜିକରଣ ଓ ସଂଶୋଧନ କରିବେ ସେ ସମ୍ବନ୍ଧରେ ସଚେତନ କରିବ l
ଭୋଟର ସଚେତନତା ରଥ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ, ତହସିଲ ଓ ଗ୍ରାମପଞ୍ଚାୟତ ସ୍ତରରେ ବୁଲିବ । ଏଥିସହ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟଗୁଡିକରେ ମଧ୍ୟ ଏହି ରଥ ବୁଲି ସଚେତନତ କରିବ l
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ନାଗରିକ, ଯେଉଁମାନେ ଭୋଟର ନାମ ପଞ୍ଜିକରଣ କରିନାହାନ୍ତି ସେମାନଙ୍କୁ ଯଥାଶୀଘ୍ର ପଞ୍ଜିକରଣ କରିବା ପାଇଁ କୁହାଯାଇଛି । ଅନଲାଇନରେ www.nvsp.in, voter helpline ମୋବାଇଲ ଆପ କିମ୍ୱା ଉପଖଣ୍ଡ ଭୋଟର ସହାୟତା କେନ୍ଦ୍ରରେ ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକ ପଞ୍ଜିକରଣ କରିପାରିବେ । ଭୋଟରମାନଙ୍କୁ ଭୋଟର ତାଲିକାରେ କିଭଳି ନାମ ପଞ୍ଜୀକରଣ ଓ ସଂଶୋଧନ କରାଯାଇପାରିବ ସେ ସମ୍ବନ୍ଧରେ ସଚେତନ କରାଯିବ ।
ଏହି ସଚେତନା ରଥ ଶୁଭାରମ୍ଭର କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ୱି.କୀର୍ତ୍ତୀ ୱାସନ, ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ, ସହକାରୀ ଜିଲ୍ଲାପାଳ ଡ଼ି.ମଲେଶ୍ୱର ପାତ୍ର, ବିନୋଦ କୁମାର ବେହେରା ଓ ପ୍ରଦୀପ କୁମାର ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ