ବ୍ରହ୍ମପୁର: ରାଜ୍ୟରେ କୋଭିଡ-୧୯ ସ୍ଥିତିକୁ ନେଇ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଥିଲା ଗଞ୍ଜାମ ଜିଲ୍ଲା । କୋରୋନା ନିୟନ୍ତ୍ରଣ ପାଇଁ ଯେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଏବଂ ସଟଡାଉନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେହି ସମୟରେ ଏହି ଜିଲ୍ଲାକୁ ବହୁସଂଖ୍ୟାରେ ଦାଦନ ଶ୍ରମିକ ଫେରିଥିଲେ। ଆଉ ପରେ ଜିଲ୍ଲାରେ ଦୃତଗତିରେ ବୃଦ୍ଧି ପାଇଥିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା ।
ପରେ ଆରମ୍ଭ ହୋଇଥିଲା ଅସଲ ମୁକାବିଲା । ସମସ୍ତ ସରକାରୀ ସମ୍ବଳର ସଠିକ ବିନିଯୋଗ କରି, କୋରୋନା ମୁକାବିଲାରେ ଲାଗି ପଡିଥିଲା ଜିଲ୍ଲା ପ୍ରଶାସନ । ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଉପକରଣର ଭରପୁର ବ୍ୟବହାର ସହିତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ନିୟମିତ ପ୍ରୟାସରେ କୋରୋନା ଗତି ରୋକିବାକୁ ହୋଇଥିଲା ଉଦ୍ୟମ ।
ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ପ୍ରଥମେ ଏମକେସିଜିରେ ନୂତନ କାଜୁଆଲଟି କୋଠାରେ କୋଭିଡ-୧୯ ସନ୍ଦିଗ୍ଧଙ୍କ ଚିକିତ୍ସା ଆରମ୍ଭ କରିଥିଲା । ପରେ ଏମକେସିଜିର ଡାକ୍ତର ଓ ନର୍ସଙ୍କ ସମେତ ପାରାମେଡିକାଲ କର୍ମଚାରୀଙ୍କୁ ନେଇ ସହର ଉପକଣ୍ଠ ଟାଟା ମେଡିକାଲରେ ଆରମ୍ଭ ହୋଇଥିଲା ଜିଲ୍ଲାର ପ୍ରଥମ ଡେଡିକେଟେଡ୍ କୋଭିଡ ହସ୍ପିଟାଲ ।
ଏପରିକି ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଏମକେସିଜି ପରିସରରେ ମଧ୍ୟ ଡେଡିକେଟେଡ୍ କୋଭିଡ ହସପିଟାଲ ଠାରୁ ଆରମ୍ଭ କରି ନଗର ହସ୍ପିଟାଲ, ହୋମିଓ ପାଥିକ ମେଡିକାଲ, ହିଞ୍ଜିଳିକାଟୁ ଠାରେ ସରକାରୀ କୋଠାରେ କୋଭିଡ କେୟାର ସେଣ୍ଟର, ଆସ୍କା ଠାରେ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର କୋଠାରେ କୋଭିଡ କେୟାର ସେଣ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରହିଥିବା ଆଦର୍ଶ ବିଦ୍ୟାଳୟ ଗୁଡିକରେ ମଧ୍ୟ ପ୍ରଶାସନ ପକ୍ଷରୁ କୋଭିଡ ଚିକିତ୍ସା ପାଇଁ ସରକାରୀ ଉପକରଣର ଭରପୁର ବ୍ୟବହାର କରାଯାଇଛି । ଆଉ ପରେ ମିଳିଲା ସଫଳତା ।
ଏବେ ୧୮,୨୩୮ ଆକ୍ରାନ୍ତ ରହିଥିବା ବେଳେ ସେଥିରୁ ୧୬୭୯୪ ଜଣ ସୁସ୍ଥ ହୋଇଛନ୍ତି । ଏବଂ ୧୨୪୨ ଜଣ ଆକ୍ଟିଭ୍ ମାମଲା ରହିଥିବା ବେଳେ ଇତି ମଧ୍ୟରେ ଜିଲ୍ଲାର ମୃତ୍ୟୁ ସଂଖ୍ୟା ୧୯୪ ରହିଥିବା କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ସମୀର ଆଚାର୍ଯ୍ୟ, ଇଟିଭି ଭାରତ