ବ୍ରହ୍ମପୁର: ଆସନ୍ତାକାଲି (ଗୁରୁବାର)ଠାରୁ ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ ଜିଲ୍ଲାର ୧୬ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ହିଞ୍ଜିଳିକାଟୁ ପୌରପାଳିକା ସମେତ 5ଟି ବ୍ଳକ ହେଡକ୍ୱାର୍ଟରରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନିଆ ସଂପୂର୍ଣ୍ଣ ସଟଡାଉନ । ସଟଡାଉନ ପୂର୍ବରୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଜମିଥିଲା ଜନସାଧାରଣଙ୍କ ଭିଡ । ଏହି 5 ଦିନିଆ ସଟଡାଉନ ସମୟରେ ଘରକୁ ଘର ବୁଲି 2 ଶହ ଡାକ୍ତରୀ ଟିମ୍ ପକ୍ଷରୁ କରାଯିବ ସ୍ୱାସ୍ଥ୍ୟ ପରୀକ୍ଷା ।
ବ୍ରହ୍ମପୁର ସହରରେ ରହିଥିବା ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କ ସମେତ ସହରାଞ୍ଚଳରେ ରହିଥିବା ସମସ୍ତ ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଗ୍ରାମାଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଅନ୍ୟପଟେ ସଟଡାଉନ ପୂର୍ବରୁ ସହରାଞ୍ଚଳର ଜନସାଧାରଣ ବିଭିନ୍ନ ଅତ୍ୟାବଶ୍ୟକିୟ ସାମଗ୍ରୀ କ୍ରୟ କରିବା ପାଇଁ ଦିନ ତମାମ ବିଭିନ୍ନ ସ୍ଥାନରେ ଭିଡ ଜମାଇଥିଲେ । ଏହି ସଟଡାଉନ ସମୟରେ କେବଳ ଦୁଗ୍ଧ ବଣ୍ଟନ ସମେତ ହସ୍ପିଟାଲ, ଔଷଧ ଦୋକାନକୁ ଛାଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏପରିକି ବିମାନ ଯାତ୍ରୀ ମାନେ ସେମାନଙ୍କ ଟିକେଟକୁ ଦେଖାଇ ଏୟାରପୋର୍ଟକୁ ଏହି ସମୟରେ ଯାଇପାରିବେ ବୋଲି କୁହାଯାଇଛି । ସେହିପରି ବ୍ୟାଙ୍କ ଖୋଲା ରହିବ । କିନ୍ତୁ ସାଧାରଣ ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ