ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ କୋରୋନା ସଂକ୍ରମିତ ପଜେଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରଶାସନ ଏହି ପଞ୍ଚାୟତକୁ ନିଷିଦ୍ଧାଞ୍ଚଳ ରୂପେ ଘୋଷିତ କରିଥିବା ଜଣାପଡିଛି ।
![chowdhury-tikarpada-panchayat-announced-content-after-positive-identification](https://etvbharatimages.akamaized.net/etvbharat/prod-images/od-bam-declaring-containment-zone-7205524_03062020232810_0306f_1591207090_832.jpg)
ଖବରନୁଯାୟୀ ଦେଶରେ ଲକଡାଉନ ଯୋଗୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବାହାରୁ ପ୍ରବାସୀ ଓଡ଼ିଆମାନଙ୍କୁ ଅଣାଯାଇ ଦିଗପହଣ୍ଡି ବ୍ଲକର ଚୌଧୁରୀ ଟିକରପଡା ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ମହାରାଷ୍ଟ୍ରରୁ ଆସିଥିବା ପ୍ରାୟ ୧୭୦ ଜଣ ପ୍ରବାସୀଙ୍କୁ ଏଥିରେ ରଖାଯାଇଥିଲା । ଏହାର ୧୪ ଦିନ ପରେ ପ୍ରବାସୀଙ୍କ ଅବଧି ଶେଷ ହୋଇଥିଲା । ଯେହେତୁ ସରକାରଙ୍କ ନିୟମ ଅନୁସାରେ ଜଣେ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରୁ ଯିବା ପରେ ୭ ଦିନ ହୋମ କ୍ବାରେଣ୍ଟଇନରେ ରହିବ । କିନ୍ତୁ ଏହି ପଞ୍ଚାୟତ ଅଧିନରେ ଥିବା ଗ୍ରାମମାନଙ୍କରେ ପ୍ରବାସୀମାନେ ସରକାରଙ୍କ ନିୟମକୁ ଅବମାନନା କରି ବାହାରେ ବୁଲୁଥିଲେ ଅଭିଯୋଗ ପରେ ପଞ୍ଚାୟତରେ ପ୍ରବାସୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
![chowdhury-tikarpada-panchayat-announced-content-after-positive-identification](https://etvbharatimages.akamaized.net/etvbharat/prod-images/od-bam-declaring-containment-zone-7205524_03062020232810_0306f_1591207090_649.jpg)
ଏହାକୁ ନେଇ ପୂର୍ବରୁ ସ୍ଥାନୀୟ ମହିଳା ସରପଞ୍ଚ ସଂଯୁକ୍ତା ଚଣ୍ଡଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ପ୍ରଶାସନ ଗତ ୨୫ ତାରିଖ ଦିନ ସନ୍ଧ୍ୟା ୭ଟାରେ ପହଞ୍ଚି ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ଏକ ସପ୍ତାହ ପାଇଁ ସଟଡାଉନ ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମଧ୍ୟ ପ୍ରବାସୀଙ୍କ ଉତ୍ପାତ ତଥା କଟକଣା ନିୟମକୁ ନ ମାନି ବିନା ମାସ୍କ, ସାମାଜିକ ଦୂରତ୍ବ ରକ୍ଷା ନ କରି ଗ୍ରାମରେ ଘରୁ ବାହାରେ ବୁଲାବୁଲି କରିଥିଲେ । ଯାହାର ପ୍ରଭାବରେ ଆଜି ପଞ୍ଚାୟତର ବିଭିନ୍ନ ଗ୍ରାମରୁ କିଛି ପ୍ରବାସୀ କୋରୋନା ସଂକ୍ରମଣରେ ଚିହ୍ନଟ ହୋଇଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ସ୍ଥାନୀୟ ତହସିଲଦାର ଆଦିତ୍ୟ କୁମାର ସ୍ବାଇଁ, ବିଡ଼ିଓ ହଳଧର ଶବର, କୋଭିଡ ୧୯ ନୋଡାଲ ଅଧିକାରୀ ରାଜକିଶୋର ପଟ୍ଟନାୟକ, କେ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ପହଞ୍ଚି ପଞ୍ଚାୟତ ସମେତ 3ଟି ଗ୍ରାମକୁ ସିଲ କରିଥିବା ବେଳେ ଚିହ୍ନଟ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ପଠାଯାଇଛି । ଯାହା ଫଳରେ ଉକ୍ତ ଗ୍ରାମ ଗୁଡିକୁ ବାହାର ଲୋକ ଭିତରକୁ ଏବଂ ଗ୍ରାମର ଲୋକମାନେ ବାହାରକୁ ବାହାରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଏଭଳି ଘଟଣା ସମୟରେ ସରପଞ୍ଚ ସମେତ ଗାଁ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ