ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗରେ ଶ୍ବଶୁର ଘର ସମୁଖରେ ବଧୂ ବେଶରେ ଧାରଣା ଦେଲେ ମଙ୍ଗୁଳି କନ୍ଯା । ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ଵିତୀୟ ଲାଇନରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ପାଠପଢ଼ା ସମୟରେ ଉଭୟ ଯୁବକଯୁବତୀ କୋର୍ଟରେ ବିବାହ କରିଥିଲେ । ଏ ସମ୍ପର୍କରେ ଜାଣିବା ପରେ ଉଭୟ ଘର ସମ୍ମତିରେ ବିବାହ କରାଇବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ବିବାହ ମଣ୍ଡପରେ ବରଘର ପହଞ୍ଚିନଥିବା ଅଭିଯୋଗ ହୋଇଛି । ଶେଷରେ ଯୁବତୀ ଜଣକ ବଧୂବେଶରେ ବର ଘର ସାମ୍ନାରେ ଧାରଣା ଦେଇଛନ୍ତି ।
ବ୍ରହ୍ମାନଗର ଅଞ୍ଚଳର ସୁସ୍ମିତ ସାହୁ ଜିଲ୍ଲା ଆସିକା ଅଞ୍ଚଳରେ ଡାକ୍ତର ଚାକିରି କରୁଥିଲେ । ଯୁବକ ଜଣକ ମଧ୍ୟ ପେଶାରେ ଜଣେ ଡାକ୍ତର ବୋଲି ଜଣା ପଡ଼ିଛି । ନଭେମ୍ବର ୨୦ ତାରିଖରେ ସୁସ୍ମିତଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇ ନିମନ୍ତ୍ରଣ ପତ୍ର ଛପାଯାଇଥିଲା । କନ୍ୟା ଘର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ବରଘର ପକ୍ଷ ଫୋନ୍ ଉଠାଇନଥିଲେ । ବିବାହ ବେଦିରେ ବର ପକ୍ଷ ପହଞ୍ଚିନଥିଲେ । ଶେଷରେ ମଙ୍ଗୁଳି କନ୍ୟା ଶ୍ବଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ।
ଯୁବତୀଙ୍କ ସହ ଯୁବକ ଜଣକ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବକ ଜଣକ ଯୁବତୀଙ୍କ ଥରେ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି । ବରଘର ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଯୁବତୀ ଜଣକ ଧାରଣାରୁ ଓହରିବେ ନାହିଁ ବୋଲି କହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ସହ ଆଲୋଚନା ଜାରି ରଖିଛି ।
ମଙ୍ଗୁଳା କନ୍ୟାଙ୍କୁ ସହାୟତା କରିବା ପାଇଁ ସମାଜସେବୀ ପ୍ରମିଳା ତ୍ରିପାଠୀ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ବଧୂ ବେଶରେ ଧାରଣା ଦେଉଥିବା ଯୁବତୀ ଏବଂ ସମାଜସେବୀଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ