ବ୍ରହ୍ମପୁର: ବାପାଙ୍କ ରେକର୍ଡ ଭାଙ୍ଗିବା ପାଇଁ ଅଦ୍ୟାବଧି ସକ୍ଷମ ହୋଇନାହାନ୍ତି ପୁଅ । ରାଜ୍ୟରେ ଗତ ସାଧାରଣ ନିର୍ବାଚନର ଫଳାଫଳରେ ଅଧିକ ସିଟରେ ବିଜୟ ହୋଇଛେ ବୋଲି ସମସ୍ତେ ଗର୍ବ ଅନୁଭବ କରୁଛନ୍ତି । ହେଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରେକର୍ଡକୁ ଅଦ୍ୟାବଧି ଭାଙ୍ଗିବାରେ ସଫଳ ହୋଇପାରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ(BJD 25th Foundation Day)ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଏଭଳି ମତବ୍ୟକ୍ତ କରିଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି(Berhampur University Former Vice Chancellor) ପ୍ରଫେସର ଜୟନ୍ତ କୁମାର ମହାପାତ୍ର ।
![ବାପାଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆହୁରି ଉଦ୍ୟମ ଆବଶ୍ୟକ: ପ୍ରଫେସର ଜୟନ୍ତ ମହାପାତ୍ର](https://etvbharatimages.akamaized.net/etvbharat/prod-images/od-bam-more-efforts-are-needed-to-break-dads-records-avb-7205524_26122021191908_2612f_1640526548_274.jpg)
ବିଜୁ ପଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆହୁରି ଉଦ୍ୟମ ଆବଶ୍ୟକ ବୋଲି ସେ କହିଛନ୍ତି । ଏଥିସହ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, ରାଜ୍ୟରେ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳ ବିଜୟୀ ହୋଇ ଥିବାବେଳେ ପ୍ରଥମେ ୧୦୭ ଏବଂ ପରେ ୧୧୨ ଆସନ ବିଜୟୀ ହୋଇଥିବା ନେଇ ଆମେ ଉତ୍ସାହିତ ହେଉଛନ୍ତି । କିନ୍ତୁ ଗତ ୧୯୯୦ ମସିହାରେ ବିଜୁ ବାବୁ ୧୨୩ ସିଟରେ ବିଜୟୀ ହୋଇଥିଲେ । ତେଣୁ ବର୍ତ୍ତମାନର ବିଜେଡିକୁ ଆହୁରି ପରିଶ୍ରମ ଆବଶ୍ୟକ ରହିଥିବା କହିଛନ୍ତି ।
ଜିଲ୍ଲା ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଶଶି ଭୂଷଣ ମହାନ୍ତିଙ୍କ ସଂଯୋଜନାରେ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ, ବରିଷ୍ଠ ନେତା ଧର୍ମରାଜୁ ରେଡି, ଏ. ଜାନକୀ ରାମ, ଏମ୍. ରାମାରାଓଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ