ବ୍ରହ୍ମପୁର: ରାଜ୍ୟରେ ଧୀରେଧୀରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣାଧିନ ହେବାରେ ଲାଗିଛି । କୋରୋନାର ଦ୍ବିତୀୟ ଲହର ପରେ ଚିନ୍ତାରେ ରହିଛନ୍ତି ରେଶମ ସହରର ବୁଲା ବ୍ୟବସାୟୀ । ଦୀର୍ଘଦିନ ଧରି ରାଜ୍ୟରେ ଲକଡାଉନ ଯୋଗୁଁ ବିଭିନ୍ନ ବ୍ୟବସାୟୀ ଅନେକ କ୍ଷତି ସହିଛନ୍ତି । ବ୍ୟବସାୟ ହେଉନଥିବାରୁ ବ୍ରହ୍ମପୁରରେ ଛୋଟ ବ୍ୟବସାୟୀ ଏବେ ପରିବାର ପେଟ କିଭଳି ପୋଷିବେ ସେହି ଚିନ୍ତାରେ ରହିଛନ୍ତି ।
ଜୀବନଜୀବିକା ପାଇଁ ରାଜ୍ୟରେ କୋଭିଡ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁନଃ ଉଠା ଦୋକାନୀ ଏବଂ ବୁଲା ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଛନ୍ତି । ହେେଲ କୋଭିଡ ସଂକ୍ରମଣ ଭୟରେ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ । ପୂର୍ବଭଳି ବ୍ୟବସାୟ ସେତେଟା ଭଲ ହେଉନଥିବା କହିଛନ୍ତି ଅନେକ ବ୍ୟବସାୟୀ । ଏଭଳି ସ୍ଥିତିରେ ଓଳିଏ ଖାଇଲେ ଓଳିଏ ଉପାସରେ ରହି ବ୍ୟବସାୟ କରୁଥିବା କଥା କହିଛନ୍ତି ରେଶମ ସହର ବ୍ୟବସାୟୀ ।
ମହାମାରୀର କୋରୋନାର ଉଗ୍ରରୂପ ଯୋଗୁଁ ମେ ମାସ ପ୍ରଥମ ସପ୍ତାହରୁ ଲକଡାଉନ ଘୋଷଣା କରାଯାଇଥିଲା । ତେବେ ଲକଡାଉନରେ ଉଠା ଓ ଠେଲା ବ୍ୟବସାୟୀଙ୍କ ପାଇଁ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ସହରାଞ୍ଚଳର ୮୭ ହଜାର ୬୫୭ଜଣ ଉଠା ଦୋକାନୀଙ୍କ ପାଇଁ ୨୬କୋଟି ୨୯ ଲକ୍ଷ ୭୧ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ହେଲେ ଏହାର ବ୍ରହ୍ମପୁର ସହରରେ ଥିବା ଉଠା ଦୋକାନୀ ବା ବୁଲା ବ୍ୟବସାୟୀଙ୍କୁ ଏହି ସହୟତା ମିଳି ପାରିନାହିଁ । ଫଳରେ ଚାତକ ଭଳି ସରକାରୀ ସହୟତା ଅପେକ୍ଷାରେ ରହିଛନ୍ତି ବ୍ରହ୍ମପୁର ସହରର ଠେଲା ବ୍ୟବସାୟୀ ।
ସେପଟେ ପ୍ରଥମ ପର୍ଯ୍ୟାୟରେ ସହାୟତା ଯୋଗାଇ ଦିଆଯାଇଥିବା କଥା କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ । ଖୁବଶୀଘ୍ର ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ବିଏମ୍ସି ତରଫରୁ ମୋଟ ୪ହଜାର ୩୦୦ ଉଠା ଦୋକାନୀଙ୍କୁ ସହାୟତା ପ୍ରଦାନ କରିବାକୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ