ବ୍ରହ୍ମପୁର: ଛତିଶଗଡ଼ ରାୟପୁରରେ ସିବିଏସଇ ଦ୍ବାରା ଆୟୋଜିତ ରୋଲର ସ୍କେଟିଂ ପ୍ରତିଯୋଗିତାରେ ବ୍ରହ୍ମପୁର ସ୍କେଟର ପକ୍ଷରୁ ମିଳିଛି ସଫଳତା। ଇଷ୍ଟ ଜୋନ ପକ୍ଷରୁ ଏହି ପ୍ରତିଯୋଗିତା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଥମ ଦିବସରେ ୩୦୦ ମିଟର ଟାଇମ ଟ୍ରାଏଲରେ ବାଳିକା ବିଭାଗର ୮ବର୍ଷ ବର୍ଗରେ ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲର ଦ୍ବିତୀୟ ଶ୍ରେଣୀର ଛାତ୍ରୀ ଅନ୍ବେଷା ବିଷୋୟୀ ମାତ୍ର ୪୬ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ସେହିଭଳି ୩୦୦ ମିଟର ରେସରେ ଡିଏଭି ପବ୍ଲିକ ସ୍କୁଲର ଛାତ୍ର ୧୦ ବର୍ଷ ବର୍ଗରେ ୪୧ ସେକେଣ୍ଡରେ ଆଶୁତୋଷ ପାଢୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସିବିଏସଇର ଫାର ଇଷ୍ଟ ଜୋନର ଓଡ଼ିଶା ରାଜ୍ୟ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗ ଭଳି ୧୧ ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟର ମାନେ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରି ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ।
ଏହି ସଫଳତା ପାଇଁ ନିଜ ବିଦ୍ୟାଳୟ , ଅଭିଭାବକ ଓ ସ୍କେଟିଂ ଅଭ୍ୟାସ କରୁଥିବା ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର କୋଚ୍ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ନିଜର କଠିନ ପରିଶ୍ରମ ଓ ଅଭ୍ୟାସ ଯୋଗୁଁ ଏହି ସଫଳତା ପାଇପାରିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।
ଏଥି ସହ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପରେ ଆଗାମୀ ନଭେମ୍ବରରେ କର୍ଣ୍ଣାଟକର ବେଲଗାଁରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ କୁନି ସ୍କେଟର ଅନ୍ବେଷା ମନୋନୀତ ହୋଇଛନ୍ତି। ପ୍ରତିଯୋଗିତାର ସଫଳତା ହାସଲ କରିଥିବା ନେଇ ଅନ୍ବେଷାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଜଣାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ