ବ୍ରହ୍ମପୁର: ସାବଧାନ ! ସୋସିଆଲ ମିଡିଆରେ ପିଏମ କେୟାର୍ସ ଫଣ୍ଡକୁ ଟଙ୍କା ପଠାଇବା ପୂର୍ବରୁ ରୁହନ୍ତୁ ସତର୍କ । ସହାୟତା ବଦଳରେ ସଙ୍କଟରେ ପଡିପାରନ୍ତି । ହୋଇପାରନ୍ତି ଠକାମୀର ଶିକାର । କାରଣ ସୋସିଆଲ ମିଡିଆରେ ଘୂରିବୁଲୁଛି ଶହ ଶହ ଫେକ୍ ଆକାଉଣ୍ଟ ।
କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କେୟାର୍ସ ଫଣ୍ଡ ଖୋଲାଯାଇଛି । ଯେଉଁଥିରେ ଆପଣ ସରକାରଙ୍କୁ ଏ ବିପଦ ସମୟରେ କିଛି ଆର୍ଥିକ ସହାୟତା ଯୋଗାଇ ପାରିବେ । ତେବେ ଏହାର ଫାଇଦା ନେବାକୁ ପ୍ରୟାସ ଚଳାଇଛନ୍ତି କିଛି ସାଇବର ଅପରାଧୀ । ସେମାନେ ପିଏମ କେୟାର୍ସ ଫଣ୍ଡ ନାମରେ ସୋସିଆଲ ମିଡିଆରେ କିଛି ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେଉଛନ୍ତି । ଯାହାର ଶିକାର ହେଉଛନ୍ତି ସାଧାରଣ ଲୋକେ ।
ଲକ୍ଡାଉନ୍ ସମୟରେ ସମସ୍ତେ ସୋସିଆଲ ମିଡିଆରେ ନିଜର ସମୟ ବିତାଉଥିବାବେଳେ ଏହାର ଫାଇଦା ନେବାକୁ ଏପରି ରାସ୍ତା ଆପଣାଇଛନ୍ତି ସାଇବର ଅପରାଧୀ । ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ନାମ ଦେଇ ଆକାଉଣ୍ଟ ଖୋଲି ଆକାଉଣ୍ଟ ନମ୍ବର ସୋସିଆଲ ମିଡିଆରେ ପକାଉଛନ୍ତି । ଏଥିରେ ଭଳିଯାଇ ଲୋକେ ଠକାମୀର ଶିକାର ମଧ୍ୟ ହେଉଛନ୍ତି ।
ତେବେ ଏଥିରୁ ବର୍ତ୍ତିବା ସହ ଯେଉଁମାନେ ପିଏମ କେୟାର୍ସକୁ ଟଙ୍କା ଦେବାକୁ ଇଚ୍ଛୁକ ସେମାନେ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ନିକଟସ୍ଥ ବ୍ୟାଙ୍କ ଶାଖାରେ ଯୋଗାଯୋଗ କରିପାରିବେ । ସେହିପରି ଟଙ୍କା ଦେବା ପୂର୍ବରୁ ପ୍ରଥମେ ଭଲ ଭାବେ ଯାଞ୍ଚ କରି ଟଙ୍କା ପଠାଇବାକୁ ପଡିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ