ବ୍ରହ୍ମପୁର: ତିନି ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜଗନ୍ନାଥପ୍ରସାଦ ଥାନାର ଏସଆଇ । ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଜାଲରେ ଧରାପଡିଛନ୍ତି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନାର ଏସଆଇ ସିଦ୍ଧାର୍ଥ କୁମାର ଗୌଡ ।

ଜଗନ୍ନାଥ ପ୍ରସାଦ ବ୍ଲକ ରାଉତି ପଞ୍ଚୟାତର ରାଉତି ଚାରିକୋଣିଆ ଗ୍ରାମରେ ଏକ ଘର ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଘଟଣାରେ ଗ୍ରାମର ଜଣେ ବ୍ୟକ୍ତି ଦେଇଥିବା ଏକ ମାମଲାରେ ପି.ରାଜା ସେନାପତିଙ୍କ ନାମକୁ ରଫାଦଫା କରିବା ପାଇଁ ପ୍ରୋହିସନ୍ରେ ଥିବା ଥାନାର ଏସ୍ଆଇ ସିଦ୍ଧାର୍ଥ କୁମାର ଗୌଡ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା ।

ଏନେଇ ରାଜା ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିବା ପରେ ଲାଞ୍ଚ ବାବଦକୁ 3000 ଟଙ୍କା ଏସ୍ଆଇଙ୍କୁ ଦେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।
ତେବେ ଭିଜିଲାନ୍ସ ଟିମ୍ ତାଙ୍କ ଡାହାଣ ହାତ ଏବଂ ପିନ୍ଧିଥିବା ପ୍ୟାଣ୍ଟ ପ୍ୟାକେଟରେ କେମିକାଲରେ ଧୋଇବା ପରେ ତାହା ପଜିଟିଭ୍ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ପରେ ପୋଲିସ ଏସ୍.ଆଇ. ସିଦ୍ଧାର୍ଥ କୁମାର ଗୌଡ଼ଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ