ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜେଇ ମାଫିଆଙ୍କ ଗଞ୍ଜେଇ କାରବାର ପେଣ୍ଠସ୍ଥଳୀ ପାଲଟିଛି ଗଞ୍ଜାମ । ଗତକାଲି ଗଞ୍ଜାମର ବିଭିନ୍ନ ସ୍ଥାନରେ ଚଢାଉ କରି 220 କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହିତ ପାଞ୍ଚଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ଜିଲ୍ଲାର ଦିଗପହଣ୍ଡି ପୋଲିସ ୧୧୭ କେଜି ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ପାଟପୁର ଥାନା କଂସାମାରୀ ଗ୍ରାମର ୫୦ ବର୍ଷୀୟ ସୁରେନ୍ଦ୍ର ଦୋରା ଏବଂ କଟାପଲ୍ଲୀ ଗ୍ରାମର ଗାଡ଼ି ଚାଳକ ରଞ୍ଜିତ ଗୌଡ ବୋଲି ଜଣାପଡିଛି ।
ସୂଚନାନୁଯାୟୀ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ପୋଲିସ କର୍ମଚାରୀମାନେ ଦିଗପହଣ୍ଡି - ରାୟଗଡ଼ା ଜାତୀୟ ରାଜପଥ - ୩୨୬ ଖେମୁଣ୍ଡି ମହାବିଦ୍ୟାଳୟ ନିକଟସ୍ଥ ମୈଳାଭଞ୍ଜା ଗ୍ରାମ ନିକଟରେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ମାନେ ଏକ ସାଣ୍ଟ୍ରୋ କାରନଂ- ଓଡି ୦୨ ପି ୨୬୭୨ ଯୋଗେ ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉକ୍ତ ଗଞ୍ଜେଇକୁ ୨୫ ଗୋଟି ବଣ୍ଡଲ ପ୍ୟାକେଟ କରି ବେଆଇନ ଭାବେ ବ୍ରହ୍ମପୁର ଅଭିମୁଖେ ନେଇ ଯାଉଥିଲେ । ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ପୋଲିସକୁ ଦେଖି ଚାଳକ ଭୟଭୀତ ହୋଇ ଗାଡ଼ି ବୁଲାଇ ଦ୍ରୁତ ଗତିରେ ଡେଙ୍ଗାଓସ୍ତା ଅଭିମୁଖେ ଯାଉଥିବା ବେଳେ ପୋଲିସ ତାଙ୍କୁ କାବୁ କରିଛି । ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜ୍ଜୁ କରି ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଛି ।
ସେହିପରି ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅଞ୍ଚଳର କନିଷି ଢାବା ନିକଟରେ ଏକ ଗଞ୍ଜେଇ ବୋଝେଇ ବ୍ୟାଗକୁ ଦୁବୃର୍ତ୍ତ ନେଇ ଯାଉଥିବା ବେଳେ ଧରାପଡିଯିବା ଭୟରେ ରାସ୍ତାକଡରେ ଛାଡି ଚମ୍ପଟ ମାରିଥିଲା । ଏହି ଖବର ଜଣାପଡିବା ପରେ ଘଟଣାସ୍ଥଳରେ ଅବକାରୀ ଓ ପୋଲିସ ବିଭାଗ ପହଞ୍ଚି ବ୍ୟାଗ ମଧ୍ୟରୁ ୨୯ ପ୍ୟାକେଟରେ ୫୮ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।
ସେପଟେ ବ୍ରହ୍ମପୁର ସହରର ଆମ୍ୱପୁଆ , କମାପଲ୍ଲୀ ଓ ନୂତନ ବସଷ୍ଟାଣ୍ଡ ଭଳି ଅଞ୍ଚଳରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୫ କିଲୋ ଗଞ୍ଜେଇ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା, ଅନ୍ୟ ଜଣେ କୋରାପୁଟର ହୋଇଥିବା ବେଳେ ଜଣେ ଝାଡଖଣ୍ଡର ବୋଲି ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ