ବାଲେଶ୍ବର: ସୋର ଥାନା ଉତ୍ତରେଶ୍ବର ନିକଟରେ ଥିବା ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ଅବହେଳାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଅଭୋଯୋଗ । ଏନେଇ ପରିବାର ପକ୍ଷରୁ ନର୍ସିଂହୋମ ଆଗରେ ମୃତ ଦେହ ରଖି ଧାରଣା ଦିଆଯାଇଛି ।
ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଆଙ୍ଗୁଳା ଗାଁର କୈଳାସ ମହାରଣାଙ୍କ ଝିଅ କୌଶଲ୍ୟାଙ୍କ ଆପେଣ୍ଡିସାଇଟିସ ଅପରେସନ ପାଇଁ ତାଙ୍କୁ ଉତ୍ତରେଶ୍ବରଠାରେ ଥିବା ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ ଡାକ୍ତର ତାଙ୍କର ଅପରେସନ କରିଥିଲେ । ବିଳମ୍ବିତ ରାତିରେ ଯନ୍ତ୍ରଣା ହେବାରୁ ନର୍ସିଂହୋମରେ ଯୁବତୀଙ୍କୁ ଏକ ଇଞ୍ଜେକ୍ସନ ଦେଇ ବାଲେଶ୍ବର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ନର୍ସିଂହୋମରେ ଚିକିତ୍ସା ଅବହେଳା ଅଭିଯୋଗ ନେଇ ପରିବାର ଲୋକେ ଯୁବତୀଙ୍କ ମୃତଦେହ ନର୍ସିଂହୋମ ଆଗରେ ରଖି ଧାରଣା ଦେଇଛନ୍ତି । ମୃତ ଯୁବତୀଙ୍କ ପରିବାର ପକ୍ଷରୁ ସୋର ଥାନାରେ ଏକ ମଧ୍ୟ ଏତଲା ଦିଆଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ