ବାଲେଶ୍ବର: ପ୍ରସବ ପରେ ନବଜାତ ଶିଶୁପୁତ୍ରକୁ ଅଟୋରେ ଧରି ଫେରୁଥିବାବେଳେ ଚଳନ୍ତା ଅଟୋରୁ ସ୍ତ୍ରୀକୁ ଠେଲିଦେଲା ସ୍ବାମୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି ।
ସୂଚନା ଅନୁସାରେ, ଔପଦା ବ୍ଲକ୍ ଆଘିରାପଦା ପଞ୍ଚାୟତ ଗରୁଡହତା ଗ୍ରାମର ପ୍ରଦୀପ ଗିରି କେନ୍ଦ୍ରାପଡା ମଙ୍ଗଳପୁର ଅଞ୍ଚଳର ସଙ୍ଗୀତାଙ୍କୁ ବିବାହ କରିଥିଲେ । 5 ଦିନ ତଳେ ସୋରର ଏକ ଘରୋଇ ନର୍ସିଂହୋମରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ସ୍ତ୍ରୀ ସଙ୍ଗୀତା । ନର୍ସିଂହୋମରୁ ଏକ ଅଟୋ ଯୋଗେ ଗରୁଡହତା ଫେରୁଥିବାବେଳେ ଦମ୍ପତିଙ୍କ କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୋର କୁପାରୀ ରାସ୍ତା ରାଜବନ୍ଧ ଛକ ନିକଟରେ ସ୍ତ୍ରୀକୁ ଚଳନ୍ତା ଅଟୋରୁ ଠେଲି ଦେଇଥିଲା ସ୍ବାମୀ ପ୍ରଦୀପ ଗିରି ।
ଭାଗ୍ୟବଶତଃ ନବଜାତ ଶିଶୁଟି ଶାଶୁ ଭାରତୀ ଗିରୀଙ୍କ କୋଳରେ ଥିଲା । ଅଟୋରୁ ପଡିବା ପରେ ସଙ୍ଗୀତାଙ୍କ ମୁଣ୍ଡ ଫାଟି ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗୀତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣା ପରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ବର୍ତ୍ତମାନ ଉଭୟ ମହିଳା ଓ ନବଜାତ ଶିଶୁପୁତ୍ର ସୋର ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ