ହାଇଦ୍ରାବାଦ: ଠିକ୍ ସମୟରେ ମୋଟର ଇନସ୍ୟୁରାନ୍ସ ପଲିସି( motor insurance policy) ନବୀକରଣ(renew) କରିବା ଆବଶ୍ୟକ । ନଚେତ୍ ଗୋଟିଏ ଦୁର୍ଘଟଣା ଆପଣଙ୍କୁ ବଡ ଘାଟାରେ ପକାଇପାରେ । ପଲିସି ନେବା ଦ୍ବାରା ଆପଣ କୌଣସି ଦୁର୍ଘଟଣା ବା ଚୋରି ସମ୍ବନ୍ଧୀୟ କ୍ଷତିକୁ ସହଜରେ କଭର କରିବା ସଙ୍ଗେ ସଙ୍ଗେ ଆର୍ଥିକ ସୁରକ୍ଷା ପାଇପାରିବେ । କିନ୍ତୁ ଯଦି ଆପଣଙ୍କ ପଲିସି ଅବଧି ଶେଷ ହେବାର ଏକ ମିନିଟ୍ ମଧ୍ୟରେ କୌଣସି ଦୁର୍ଘଟଣା ଘଟେ, ତାହାହେଲେ ପଲିସି ଏହାର କ୍ଷତି କଭର କରିନଥାଏ । ଯାହାଫଳରେ ଗାଡି ମାଲିକ ହିଁ ସମସ୍ତ କ୍ଷତିଭରଣା କରିବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ଆଇନ ଅନୁଯାୟୀ ସବୁ ଯାନବାହନ ପାଇଁ ଇନସ୍ୟୁରାନ୍ସ ପଲିସି ଅପରିହାର୍ଯ୍ୟ ଅଟେ । ଇନସ୍ୟୁରାନ୍ସ ବିନା ଗାଡି ଚାଳନା ପାଇଁ ୨ ହଜାର ଟଙ୍କା ଜରିମାନା ସହ ଜେଲ ଦଣ୍ଡାଦେଶର ମଧ୍ୟ ବ୍ୟବସ୍ଥା ରହିଛି । ତେଣୁ ବିନା ଇନସ୍ୟୁରାନ୍ସରେ ଗାଡି ଚଳାନ୍ତୁ ନାହିଁ ।
ଅପରପକ୍ଷେ, ନବୀକରଣ ଅବଧି ଶେଷ ହୋଇଯାଇଥିବା ପଲିସି ପାଇଁ ଇନସ୍ୟୁରାନ୍ସକାରୀ ଅନେକ ସର୍ତ୍ତାବଳୀ ରଖିଥାନ୍ତି । ସେମାନେ ବ୍ୟକ୍ତିଗତ ଭାବେ ଯାନର ଯାଞ୍ଚ ଉପରେ ଗୁରୁତ୍ବ ଦେଇପାରନ୍ତି । ଏଥିପାଇଁ ଆପଣ ଗାଡି ସହ ବୀମା କମ୍ପାନୀ ନିକଟକୁ ଯାଇଥାନ୍ତି ନଚେତ୍ ସେମାନେ ନିଜ ପ୍ରତିନିଧିକୁ ଆପଣଙ୍କ ନିକଟକୁ ନିରୀକ୍ଷଣ ପାଇଁ ପଠାଇଥାନ୍ତି । ଆଜିକାଲି ବୀମା କମ୍ପାନୀମାନେ ଭିଡିଓ ଯାଞ୍ଚ ପ୍ରକ୍ରିୟା ଆପଣାଇଛନ୍ତି ।
ତେଣୁ ଅବଧି ଶେଷ ହେବା ପୂର୍ବରୁ ନିଜ ପଲିସି ନବୀକରଣ କରିନେବା ଆବଶ୍ୟକ । ଯଦି ଆପଣ କୌଣସି ଏଜେଣ୍ଟ ଜରିଆରେ ପଲିସି ନେଉଛନ୍ତି, ତାହାହେଲେ ତାଙ୍କର ଅନୁସରଣ କରି ସମସ୍ତ ଔପଚାରିକତା ପୂରଣ କରିବା ଉଚିତ୍ । ଯଦି ଅନଲାଇନରେ ପଲିସି ନେଇଛନ୍ତି, ଏପରି ସ୍ଥଳେ ଆପଣ କମ୍ପାନୀ ୱେବସାଇଟ ଯାଆନ୍ତୁ, ସେଠାରେ ନବୀକରଣ ଅପ୍ସନକୁ କ୍ଲିକ୍ କରନ୍ତୁ ଏବଂ ପଲିସି ଅବଧି ବୃଦ୍ଧି କରନ୍ତୁ । ଯଦି ବର୍ତ୍ତମାନ ଆପଣ ଇନସ୍ୟୁରାନ୍ସକାରୀ ସେବାରେ ଖୁସି ନାହାନ୍ତି, ତେବେ ଆଉ ଏକ ନୂଆ କମ୍ପାନୀକୁ ପରିବର୍ତ୍ତନ କରିପାରିବେ । ସର୍ବଦା ପଲିସି ନେବା ପୂର୍ବରୁ ବିଭିନ୍ନ କମ୍ପାନୀ ଦ୍ବାରା ପ୍ରଦତ୍ତ ପଲିସିର ବିସ୍ତୃତ ବିବରଣୀ ଏବଂ ପ୍ରିମିୟମ ରେଟକୁ ଭଲ ଭାବେ ଚେକ୍ କରନ୍ତୁ ।
ନୋ କ୍ଲେମ୍ ବୋନସ(No claim bonus): ନୋ କ୍ଲେମ ବୋନସ(NCB) ହେଉଛି ଇନସ୍ୟୁରାନ୍ସ କମ୍ପାନୀ ଦ୍ବାରା ପ୍ରଦତ୍ତ ଏକ ପୁରସ୍କାର । ଏନସିବି ଦ୍ବାରା ପଲିସି ନବୀକରଣ ସମୟରେ ଦିଆଯାଉଥିବା ଇନସ୍ୟୁରାନ୍ସ ପ୍ରିମିୟମ ଉପରେ ୨୦% ଏବଂ ୫୦% ରିହାତି(discount) ମିଳିଥାଏ । ନୂଆ ଗାଡି କିଣିବା ବେଳେ ଏହି ରିହାତିକୁ ପଲିସିଧାରକ ଟ୍ରାନ୍ସଫର କରିପାରିବେ । ଇନସ୍ୟୁରାନ୍ସ କମ୍ପାନୀ ପଲିସି ନବୀକରଣ ପାଇଁ ପଲିସିଧାରକଙ୍କୁ ୯୦ ଦିନ ସମୟ ଦେଇଥାଏ ଏବଂ ସେହି ସମୟ ମଧ୍ୟରେ ନବୀକରଣ କଲେ ଏନସିବି ଲାଭରୁ ବଞ୍ଚିତ ହେବାକୁ ପଡିନଥାଏ । ଏଥିସହ ପ୍ରିମିୟମ ଉପରେ ୫୦ ପ୍ରତିଶତର ରିହାତି ସୁବିଧା ମଧ୍ୟ ମିଳିଥାଏ ।
ତାରିଖ ପୂର୍ବକୁ ନବୀକରଣ କରାନ୍ତୁ: ଅଧିକାଂଶ ଲୋକେ ଗାଡି ଇନସ୍ୟୁରାନ୍ସ ନେଇ ଆଗ୍ରହୀ ହୋଇନଥାନ୍ତି । ଫଳରେ ସେମାନେ ପଲିସି ନବୀକରଣ ଦିଗରେ ଧ୍ୟାନ ଦିଅନ୍ତି ନାହିଁ । ଯଦ୍ବାରା ଅନେକ ପଲିସି ଲ୍ୟାପ୍ସ ହୋଇଯାଇଥାଏ । ଇନସ୍ୟୁରାନ୍ସ କମ୍ପାନୀମାନେ ମଧ୍ୟ ଏଥିପାଇଁ ନୋଟିଫିକେସନ ମଧ୍ୟ ପଠାଇଥାନ୍ତି । କିନ୍ତୁ ଏପରି ନବୀକରଣ ନ କରିବା ଦ୍ବାରା ପଲିସିଧାରକ ବଡ ଅସୁବିଧାରେ ପଡିପାରନ୍ତି । ତେଣୁ ସର୍ବଦା ସମୟ ପୂର୍ବରୁ ନବୀକରଣ କରିବାକୁ ଚେଷ୍ଟା କରନ୍ତି । ଯାହାଫଳରେ ଆପଣ ଅନେକ ଅବାଞ୍ଛିତ ପରିସ୍ଥିତିର ସମ୍ମୁଖୀନ କରିବାକୁ ସକ୍ଷମ ହୋଇପାରିବେ ।