ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜି ବଜାରରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା NDTV ଶେୟାରର ଉତ୍ସାହଜନକ ପ୍ରଦର୍ଶନ ଜାରି ରହିଛି । ଆଦାନୀ ଗ୍ରୁପ NDTV ଶେୟାର କିଣିବା ନେଇ ଘୋଷଣା କରିବା ପରେ ଏହାର ଶେୟାର ମୂଲ୍ୟ ଗୁରୁବାର ସର୍ବାଧିକ ସ୍ତର ଛୁଇଁଥିଲା । ଉଭୟ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE) ନିଫ୍ଟି ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜେ(BSE) ସେନସେକ୍ସରେ NDTV ଶେୟାରରେ ୫ ପ୍ରତିଶତ ବୃଦ୍ଧି ଆସିଥିଲା । ଏହାର ଶେୟାର ଏନଏସଇରେ ୩୮୮.୨୦ରେ ବନ୍ଦ ହୋଇଥିବାବେଳେ ଗୁରୁବାର ଦିନ ୫ ପ୍ରତିଶତ ବୃଦ୍ଧି ପାଇ ୪୦୭.୬୦ ପଏଣ୍ଟରେ ପହଞ୍ଚିଥିଲା । ଯାହାକି ଗତ ୫୨ ସପ୍ତାହରେ ସର୍ବାଧିକ ବୃଦ୍ଧି ଅଟେ ।
![ଆଦାନୀ ଗ୍ରୁପର ଖୋଲା ଅଫର୍ ପରେ NDTV ଶେୟାରରେ ୫ ପ୍ରତିଶତ ବୃଦ୍ଧି](https://etvbharatimages.akamaized.net/etvbharat/prod-images/16193536_1001_16193536_1661414290429.png)
ଅନୁରୂପ ଭାବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ NDTV Ltd ଶେୟାର ୫ ପ୍ରତିଶତ ଉଛୁଳି ୪୦୩.୭୦ ହୋଇଯାଇଥିଲା । ଗତ ଦୁଇ ଦିନ ମଧ୍ୟରେ କମ୍ପାନୀର ମାର୍କେଟ ଭ୍ୟାଲୁ ବିଏସଇରେ ୨୪୧.୭୮ କୋଟିରୁ ୨,୬୦୨.୭୧ କୋଟିକୁ ବୃଦ୍ଧି ପାଇଛି । ଗତ ବୁଧବାର ମଧ୍ୟ ବଜାରରେ NDTV Ltd ପ୍ରଦର୍ଶନ ଉତ୍ସାହଜନକ ରହିଥିଲା । ମଙ୍ଗଳବାର ମଧ୍ୟ ଏହାର ଷ୍ଟକ ମୂଲ୍ୟ ବମ୍ଫର ବୃଦ୍ଧି ସହ ବନ୍ଦ ହୋଇଥିଲା । ଏହି ଦିନ ଆଦାନୀ ଗ୍ରୁପ NDTV ଶେୟାର କିଣିବା ପାଇଁ ଖୋଲା ଅଫର୍ ଘୋଷଣା କରିଥିଲା । ଆଦାନୀ ଗ୍ରୁପ୍ ଅଫର ଦେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାର ଶେୟାର ମୂଲ୍ୟ ଖୁବ୍ ଜୋରରେ ବୃଦ୍ଧି ଆସିଥିଲା ।
ଏହାମଧ୍ୟ ପଢନ୍ତୁ: NDTV ଅଂଶଧନ କିଣିବ ଆଦାନୀ ଗ୍ରୁପ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଦାନୀ ଗ୍ରୁପର ସହଯୋଗୀ ଏଏମଜି ମିଡିଆ ନେଟୱାର୍କ ଲିମିଟେଡ(AMG Media Network Ltd) ଓ ଏହାର ଶାଖା କମ୍ପାନୀ ବିଶ୍ବପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ ଗଣମାଧ୍ୟମ ସଂସ୍ଥା NDTVର ୨୯.୧୮% ଶେୟାର ପରୋକ୍ଷ ଭାବେ ଅଧିଗ୍ରହଣ କରିବ ବୋଲି ଘୋଷଣା କରିଛି । ଏହାସହିତ ଗ୍ରୁପ୍ NDTVର ଆଉ ୨୬% ଶେୟାର କିଣିବାକୁ ଖୋଲା ଅଫର ଦେଇଛି ।
ଏହି ଅଧିଗ୍ରହଣ ସଫଳ ହେଲେ ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥା ଏନଡିଟିଭିରେ ଆଦାନୀ ଗ୍ରୁପର ମୋଟ ଶେୟାର ୫୫.୧୮%କୁ ବୃଦ୍ଧି ପାଇବ । ଏହାସହିତ ଗଣମାଧ୍ୟମ ସଂସ୍ଥାର ମାଲିକାନା ଆଦାନୀ ଗ୍ରୁପ ହାତକୁ ଚାଲିଯିବ । ଏନେଇ NDTV କହିଛି, ଆଦାନୀ ଗ୍ରୁପର ବିଶ୍ବପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ RRPR ଠାରୁ ଏହାର ଶେୟାର ଅଧିଗ୍ରହଣ କରିବା ପାଇଁ ସେବି ଅନୁମୋଦନ ଆବଶ୍ୟକ ।