ନୂଆଦିଲ୍ଲୀ: ଶକ୍ତି ସଚିବ ଦାୟିତ୍ବର ଗୋଟିଏ ଦିନ ପରେ ଇଚ୍ଛାକୃତ ଅବସର ନେଲେ ସୁବାଷ ଚନ୍ଦ୍ର ଗର୍ଗ । ଅର୍ଥମନ୍ତ୍ରାଳୟ ସ୍ଥାନାନ୍ତରଣକୁ ଅଗ୍ରାହ୍ୟ କରି ଗୁରୁବାର ଗର୍ଗ ଭିଆରଏସ ପାଇଁ ଆବେଦନ କରିଥିଲେ । ପୂର୍ବରୁ ସେ ଆର୍ଥିକ ବ୍ୟାପାର ସଚିବ ଭାବେ କାର୍ଯ୍ୟଭାର ତୁଲାଉଥିଲେ ।
ଗର୍ଗଙ୍କ କାର୍ଯ୍ୟକାଳ 2020 ଅକ୍ଟୋବର ପର୍ଯ୍ୟନ୍ତ ରହିଥିଲା । ସେ ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ରହିଥିଲେ । ଏଥିରେ ସେ ଆର୍ଥିକ ସଚିବ ଭାର ବହନ କରୁଥିବାବେଳେ ଅଚାନକ ତାଙ୍କୁ ଶକ୍ତି ବିଭାଗ ଭଳି ହାଲୁକା ବିଭାଗରେ ସଚିବ ଦାୟିତ୍ବ ଦିଆଯିବା ବୋଧେ ତାଙ୍କୁ ସୁହାନଥିବା କୁହାଯାଉଛି । ଏଥିଯୋଗୁଁ ସେ ଅବସର ନେଇଯାଇଥିବା ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି ।
ରାଜକୋଷୀୟ ନୀତି ଓ ଆରବିଆଇ ସମ୍ବନ୍ଧିତ ମାମଲାର ସେ ଜଣେ ଦକ୍ଷ ଅର୍ଥନୀତିଜ୍ଞ ଥିଲେ । ଏପରିକି ଅର୍ଥ ସଚିବ ଭାବେ କେନ୍ଦ୍ର ବଜେଟରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ତେବେ କେନ୍ଦ୍ର ବଜେଟକୁ ସଂସଦରେ ମଞ୍ଜୁରୀ ମିଳିବା ପରେ ବୁଧବାର ତାଙ୍କୁ ଶକ୍ତି ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଥିଲା । ତାଙ୍କ ପରିବର୍ତ୍ତେ ଅତୁନ ଚକ୍ରବର୍ତ୍ତୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା ।