କଟକ/ ଭୁବନେଶ୍ବର: ବଢ଼ିଲା ରାଜ୍ୟର ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ ପରିମାଣ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ ମାସରେ ରେକର୍ଡ ଭାଙ୍ଗିଲା ରାଜ୍ୟ ଜିଏସଟି ସଂଗ୍ରହ । 2021 ଜୁନ ମାସରେ ୮୫୮.୮୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି ।
ଗତବର୍ଷ ସମୀକ୍ଷାଧୀନ ମାସରେ ୭୫୯.୧୭ କୋଟି ଟଙ୍କା ସଂଗ୍ରହ ହୋଇଥିଲାବେଳେ ଚଳିତବର୍ଷ ଏହା ୧୩.୧୩ ପ୍ରତିଶତ ବୃଦ୍ଧି ପାଇଛି । ଏହାସହ 2020 ଜୁନ ମାସ ସୁଦ୍ଧା ରାଜ୍ୟ ଜିଏସଟିର ମୋଟ ସଂଗ୍ରହ ଚଳିତ ଆର୍ଥିକ ବର୍ଷର ଜୁନ ସୁଦ୍ଧା 2812.93 କୋଟି ଟଙ୍କା ରହିଛି । ଯେତେବେଳେ କି ଗତ ଆର୍ଥିକବର୍ଷରେ ଜୁନ ମାସ ସୁଦ୍ଧା ଏହି ପରିମାଣ 1560.20 କୋଟି ଟଙ୍କା ଥିଲା । ଫଳରେ ଏ କ୍ଷେତ୍ରରେ 80.29 ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ପୂର୍ବ ବର୍ଷରେ ଯେଉଁମାନଙ୍କର ବାର୍ଷିକ ଟନଓଭର 5 କୋଟି ଟଙ୍କାର ଅଧିକ ଥିଲା , ସେହି ଟିକସଦାତାଙ୍କ ଦ୍ଵାରା ଟିକସ ପୈଠ ଅଧିକ ରହିଛି । ଲୌହ ଇସ୍ପାତ କ୍ଷେତ୍ରରୁ ଅଧିକ ଟିକସ ସଂଗ୍ରହ ହେବାରୁ ତଥା ରିଟର୍ଣ୍ଣି ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ଅଧିକ ଡିମାଣ୍ଡ ସଂଗ୍ରହ କରାଯିବା କାରଣରୁ ଚଳିତବର୍ଷ ଜୁନ ମାସରେ ଅଭିବୃଦ୍ଧି ହାର 13.13 ପ୍ରତିଶତ ହୋଇପାରିଛି ।
ଜିଏସଟି ପରିଷଦ ଦ୍ବାରା ରିଟର୍ଣ୍ଣିଂ ଦାଖଲ ତାରିଖ ବୃଦ୍ଧି କରାଯାଇଥିବା ସତ୍ବେ 5 କୋଟି ଟଙ୍କାରୁ କମ ଟନଓଭର ଥିବା ଟିକସଦାତା ଆଶାନୁରୂପ ରିଟର୍ଣ୍ଣ ଦାଖଲ କରିନାହାନ୍ତି । ଏହାପରେ ମଧ୍ୟ ରାଜ୍ୟ ଜିଏସଟି ସଂଗ୍ରହରେ ଏହି ଅଭିବୃଦ୍ଧି ହାସଲ ହୋଇଛି ।
ସେହିପରି କେନ୍ଦ୍ରୀୟ ଜିଏସଟି, ସମନ୍ବିତ ଜିଏସଟି, ଅତିରିକ୍ତ ସେସ ବାବଦରେ ମଧ୍ୟ ଚଳିତବର୍ଷ ଜୁନ ମାସରେ ଯଥାକ୍ରମେ 743.6 କୋଟି, 842.25 କୋଟି, 555.25 କୋଟି ଟଙ୍କା ସଂଗୃହୀତ ହୋଇଛି ।
ଅପରପକ୍ଷରେ ପେଟ୍ରୋଲ ଓ ମଦ ଉପରୁ 2021 ଜୁନ ମାସରେ 709.32 କୋଟି ଟଙ୍କାର ଭାଟ୍ ଆଦାୟ ହୋଇଛି । ସେହିପରି ପେଟ୍ରୋଲ ଜାତ ସାମଗ୍ରୀ ଉପରୁ ଚଳିତ ମାସ ଭାଟ ଆଦାୟ ପରିମାଣ 585.49 କୋଟି ଟଙ୍କା ରହିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ