ନୂଆଦିଲ୍ଲୀ: ଅଭିବୃଦ୍ଧି ପାଇଁ ବଜେଟରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦରକାର । ଏଥିପାଇଁ ବିଭିନ୍ନ ସେକ୍ଟରକୁ ଆର୍ଥିକ ବୁଷ୍ଟର ଆବଶ୍ୟକ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରାକୃତିକ ଗ୍ୟାସକୁ ଜିଏସଟି ପରିସରରେ ଆଣିବା ପାଇଁ ପ୍ରସ୍ତାବ ଦେଇଛି ମନ୍ତ୍ରାଣଳୟ ।
ମନ୍ତ୍ରାଣଳୟ କହିବା ଅନୁଯାୟୀ, ଜିଏସଟି ଅଧିନକୁ ପ୍ରାକୃତିକ ଗ୍ୟାସ ଆସିବା ଫଳରେ ଏହା ଉପରେ ଲାଗୁ ହେଉଥିବା ଏକାଧିକ ଟିକସ ଆଉ ରହିବ ନାହିଁ । ଯାହା ଦ୍ବାରା ଟିକସ ପରିମାଣ କମିବ । ଏଥିସହ ବ୍ୟବସାୟିକ ବାତାବରଣରେ ମଧ୍ୟ ସୁଧାର ଆସିବ ।
ଦେଶରେ 2017 ଜୁଲାଇ ପହିଲାରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଲାଗୁ କରାଯାଇଛି । ଏଥିରେ କେନ୍ଦ୍ର ଓ ରାଜ୍ୟଗୁଡିକର ପାଖାପାଖୀ 17ଟି ଟିକସକୁ ମିଶ୍ରଣ କରାଯାଇଥିଲା । ଯେଉଁଥିପାଇଁ ଏହାକୁ ଏକକ ପରୋକ୍ଷ ଟିକସ ବ୍ୟବସ୍ଥା କୁହାଯାଏ । ହେଲେ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ପେଟ୍ରୋଲ ,ଡିଜେଲ ଏବଂ ବିମାନ ତେଲ ବା ଏଟିଏଫକୁ ଜିଏସଟିରୁ ବାଦ ଦିଆଯାଇଛି ।
ପ୍ରାକୃତିକ ଗ୍ୟାସ ଏବେ ମୁଲ୍ୟଯୁକ୍ତ କର(ଭାଟ) ଅଧୀନରେ ଆସୁଛି । ଫଳରେ ଏହା ଉପରେ ବିଭିନ୍ନ ରାଜ୍ୟରେ 3ରୁ 20 ପ୍ରତିଶତ ପର୍ଯ୍ୟନ୍ତ ଭାଟ ଲଗାଯାଉଛି । ଯେଉଁଥିପାଇଁ ଏହାକୁ ଲୋକମାନେ ଅଧିକ ବ୍ୟବହାର କରିବାକୁ କୁଣ୍ଠାବୋଧ କରୁଛନ୍ତି । ଏଥିସହ ବ୍ୟବସାୟିକ ସୁଯୋଗ ମଧ୍ୟ ସୃଷ୍ଟି ହେଉନାହିଁ । ଏଣୁ ଯଦି ଏହା ଜିଏସଟି ଅଧିନକୁ ଆସିବ ତେବେ ଉତ୍ପାଦ ଶୁଳ୍କ ଓ ଭାଟରୁ ବର୍ତ୍ତିପାରିବ । ଏହା ଦ୍ବାରା ଆର୍ଥିକ ଗତିବିଧି ବଢିବ, ରାଜ୍ୟରେ ଘରୋଇ ଉତ୍ପାଦ ବୃଦ୍ଧି ପାଇବ । ଏଥିସହ ସାମାଜିକ ଓ ଆର୍ଥିକ ବିକାଶକୁ ଗତି ମିଳିବ । ଆଉ ଏ ସବୁଥିରୁ ରୋଜଗାର ସୃଷ୍ଟି ହେବ ।
ପିଟିଆଇ