ନୂଆଦିଲ୍ଲୀ : ନିକଟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଚୀନ ମୋବାଇଲ କମ୍ପାନୀ ଭିଭୋ ସହ ଇଣ୍ଡିଆନ ପ୍ରିମିୟମ ଲିଗ (ଆଇପିଏଲ)ର 13 ତମ ସିଜନ ପାଇଁ ଟାଇଟଲ ସ୍ପନ୍ସର( ପ୍ରାୟୋଜକ) ଚୁକ୍ତି ରଦ୍ଦ କରିଛି । ଏହା ପରେ ଟାଇଟଲ ସ୍ପନ୍ସର ରେସରେ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ନାମ ଯୋଡି ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ପତଞ୍ଜଳି ଆଇପିଏଲ 2020ର ସ୍ପନ୍ସରସିପ ପାଇଁ ବିଡ୍ ଲଗାଇବାକୁ ବିଚାର କରୁଛି ।
ଭାରତ ଓ ଚୀନ ସୀମାରେ ହୋଇଥିବା ହିସାଂତ୍ମକ ସଂଘର୍ଷ ପରେ ଚାଇନା ପ୍ରଡକ୍ଟ ବର୍ଜନ ନେଇ ଭାରତରେ ଅଭିଯାନ ଆରମ୍ଭ ହୋଇଛି । ଚୀନ ବିରୋଧୀ ନିଆଁ ଦେଶରେ ତେଜିବାରେ ଲାଗିଛି । ଏଥିମଧ୍ୟରେ ବିସିସିଆଇ ଭିଭୋ ସହ ଆଇପିଏଲ 2020 ପାଇଁ ପାର୍ଟନରସିପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ମୋହର ମାରିଛି ।
ପତଞ୍ଜଳୀର ମୁଖପାତ୍ର ଏସ.କେ ତିଜାରାୱାଲା (S K Tijarawala) ଏକ ପିଟିଆଇ ସହ କଥାବାର୍ତ୍ତା ବେଳେ ଏ ନେଇ ସୁନିଶ୍ଚିତ କରିଛନ୍ତି । ସେ କହିଛନ୍ତି କି, ‘‘ ଆମେ ଚଳିତ ବର୍ଷ ଆଇପିଏଲ ଟାଇଟଲ ପ୍ରାୟୋଜକ ବିଷୟରେ ଚିନ୍ତା କରୁଛୁ । କାରଣ ଆମେ ପତଞ୍ଜଳି ବ୍ରାଣ୍ଡକୁ ଏକ ବିଶ୍ୱ ପ୍ଲାଟଫର୍ମକୁ ନେବାକୁ ଚାହୁଁଛୁ।’ ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ପ୍ରସ୍ତାବ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ତିଜାରାୱାଲା ସୂଚନା ଦେିଛନ୍ତି ।
ପ୍ରକାଶ ଯେ, ଭିଭୋ ଟାଇଟଲ ପ୍ରାୟୋଜକ ପାଇଁ ପ୍ରତି ବର୍ଷ ବିସିସିଆଇକୁ 40 କୋଟି ଟଙ୍କା ଦେଇଥାଏ । ତେବେ ଆସନ୍ତା ବର୍ଷ ଆଇପିଏଲ ଟାଇଟଲ ସ୍ପନ୍ସର ଭାବେ ପୁଣି ଭିଭୋ କମବ୍ୟାକ କରିପାରେ । ଭିଭୋ ଏବଂ ଆଇପିଏଲ୍ ର ଚୁକ୍ତି 2022 ପର୍ଯ୍ୟନ୍ତ ରହିଛି ।
ଚଳିତ ବର୍ଷ ୟୁଏଇରେ ଆଇପିଏଲ ଖେଳାଯିବ। ଷ୍ଟାଡିୟମରେ କୌଣସି ଦର୍ଶକ ରହିବେ ନାହିଁ । ଏହା ସତ୍ତ୍ବେ ଏହାର ମିଡିଆରେ ଅସଂଖ୍ୟ ବିଜ୍ଞାପନ ଆସିବ । ଭିଭୋକୁ ହଟେଇବା ପରେ ବିସିସିଆଇ ନୂତନ ପ୍ରଯୋଜକ ଖୋଜୁଛି। ଏଥିପାଇଁ ଅନେକ ନାମ ଲିଷ୍ଟରେ ରହିଛି । ଏଥିରେ ଜିଓ, ଆମାଜନ, ଟାଟା ଗ୍ରୁପ୍, ଡ୍ରିମ୍ ଇଲେଭେନ , ଆଦାନୀ ଗ୍ରୁପ୍ ଏବଂ ଏଜୁକେସନ୍ ଷ୍ଟାର୍ଟଅପ୍ ବାଇଜୁସ୍ ଭଳି ନାମ ପ୍ରାୟୋଜକ ଭାବରେ ଉଭା ହୋଇଛି ।