ମୁମ୍ବାଇ: ସଙ୍କଟରେ ପଡଛି ଘରୋଇ ବିମାନ କମ୍ପାନୀ ଜେଟ୍ ଏୟାରୱେଜ୍। ସୋମବାର ଠାରୁ ହଜାରେ ପାଇଲଟ ଆନ୍ଦୋଳନକୁ ଓହରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ରବିବାର ଏନ୍ଏଜିର ବୈଠକ ପରେ ଏହି ଆନ୍ଦୋଳନକୁ ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।
ଜେଟ ଏୟାରୱେଜ କର୍ମଚାରୀ ସଙ୍ଘ( ଏନ୍ଏଜି)ର ସଭାପତି କରଣ ଚୋପ୍ରାଙ୍କ କହିବାନୁସାରେ, ସେ କମ୍ପାନୀର 1600 ମଧ୍ୟରୁ 1100 ଶହ କର୍ମଚାରୀଙ୍କ ପ୍ରତିନିଧିତ୍ବ କରନ୍ତି। ପୂର୍ବେ ଏପ୍ରିଲ ଏକ ତାରିଖରୁ ସମସ୍ତ ପାଇଲଟ ସାମୁହିକ ଛୁଟିରେ ଯିବାକୁ ଧମକ ଦିଆଯାଇଥିଲା। କିନ୍ତୁ ପରିସ୍ଥିତିକୁ ଦେଖି ସମସ୍ୟାର ସମାଧାନ ପାଇଁ କମ୍ପାନୀକୁ ଆହୁରି କିଛି ସମୟ ଦିଆଯିବାକୁ ସଂଗଠନ ନିଷ୍ପତ୍ତି ନେଇଛି ବୋଲି ଚୋପ୍ରା କହିଛନ୍ତି।
ରବିବାର ଅପରାହ୍ନରେ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ମୁମ୍ୱାଇରେ ଏକ ବୈଠକ ବସିଥିଲା। ଦୀଘ 4 ଘଣ୍ଟାର ଆଲୋଚନା ପରେ ଆନ୍ଦୋଳନକୁ 15 ତାରିଖ ଯାଏଁ ସ୍ଥଗିତ କରିବାକୁ ସଂଗଠନ ରାଜି ହେଲା। ଏନ୍ଏଜିର ଏପରି ନିଷ୍ପତ୍ତି ଏୟାରୱେଜ କମ୍ପାନୀର ସଙ୍କଟ କିଛି ମାତ୍ରାରେ ଲାଘବ ହୋଇଛି।
ସୂଚନାଯୋଗ୍ୟ, ଜେଟ୍ ଏୟାରୱେଜ ଉପରେ 8 ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କରଜ ରହିଛି। କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ଦୀର୍ଘଦିନରୁ କର୍ମଚାରୀଙ୍କୁ ଦରମା ଦିଆଯାଇ ନାହିଁ। ସେପଟେ ଏୟାର ଲାଇନ୍ସ ପ୍ରବନ୍ଧନ ଏସବିଆଇ ନୀତି ବ୍ୟାଙ୍କ ସଂଘ ହାତକୁ ଚାଲିଯାଇଥିଲା। ଏହା ପୂର୍ବରୁ ଏୟାରୱେଜର ଚେୟାରମ୍ୟାନ ପଦରୁ ନରେଶ ଗୋୟଲ ଓ ପତ୍ନୀ ଅନୀତା ଗୋୟଲ ଇସ୍ତଫା ଦେଇଥିଲେ।