ହାଇଦ୍ରାବାଦ: ନିଜର ପାରୁପର୍ଯ୍ୟନ୍ତ ସଞ୍ଚୟ କରିବାର ଧାରା ଆମ ସମସ୍ତଙ୍କ ଜୀବନ ସହ ଓତଃପ୍ରୋତ ଭାବେ ଜଡ଼ିତ। ଏପରିକି ଆମ ସମାଜରେ ଶିଶୁମାନଙ୍କୁ ମଧ୍ୟ ନିଜର ପକେଟ୍ ଖର୍ଚ୍ଚକୁ ସଞ୍ଚୟ କରିବା ପାଇଁ ଉତ୍ସାହିତ କରାଯାଇଥାଏ । ମାଟି ତିଆରି ଘଡ଼ି ବା ପିଲାଙ୍କ ବ୍ୟାଙ୍କ ଏହାର ଉଦାହରଣ । ଆଉ ଟିକେ ବଡ଼ ହେଲେ ଆମେ ବ୍ୟାଙ୍କ ଉପରେ ନିଜ ଭବିଷ୍ୟତର ଆବଶ୍ୟକତା ତୁଲାଇବା ଉଦ୍ଦେଶ୍ୟରେ ଅର୍ଥ ଜମା ବା ସଞ୍ଚୟ କରିବା ପାଇଁ ଉଚିତ ଭାବୁ। ଏହାର କାରଣ ହେଉଛି ବ୍ୟାଙ୍କ ସହ ଆମର ଦୀର୍ଘଦିନର ବିଶ୍ଵସନୀୟତା।
ବ୍ୟାଙ୍କ୍ରେ ଜମାଥିବା ଅର୍ଥ ଯେ କୁଆଡ଼େ ବୁଡିବ ନାହିଁ ଏହି ବିଶ୍ଵାସ ପିଲାଦିନରୁ ଆମ ମୁଣ୍ଡରେ ରହି ଆସିଛି। ପୁଣି ଯେଉଁ ବ୍ୟାଙ୍କ୍ରେ ଜମା ରାଶି ଉପରେ ସାମାନ୍ୟ ଅଧିକ ସୁଧ ମିଳେ ସେଠାରେ ଆମେ ପୁଞ୍ଜି ଜମା ରଖିବାକୁ ଆହୁରି ଉତ୍ସାହିତ ହୋଇଥାଉ। ଏହି ଧାରାରେ ଲୋକେ ସମବାୟ ବ୍ୟାଙ୍କ ଗୁଡ଼ିକରେ ମଧ୍ୟ ଜମା କରିଥାଆନ୍ତି। ଯେହେତୁ ‘ବ୍ୟାଙ୍କ୍’ ଶବ୍ଦଟି ଏହି ସମବାୟ ଅନୁଷ୍ଠାନ ସହ ଯୋଡ଼ି ହୋଇଛି, ସେଥିଲାଗି ବ୍ୟାଙ୍କ୍ରେ ଜମା କରିବା ଲାଗି ଯେଉଁ ବିଶ୍ଵାସ ତାଙ୍କ ମନରେ ପୂର୍ବରୁ ଥାଏ, ଏଠାରେ ମଧ୍ୟ ସେହି ସମାନ ବିଶ୍ଵାସ ରହିଥାଏ। ହେଲେ ନିକଟରେ ପଞ୍ଜାବ-ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ( ପିଏମ୍ସି) ଯେଉଁ ସ୍କାମ୍ ଲୋକଲୋଚନକୁ ଆସିଲା ଏବଂ ସେଠାରେ ଅର୍ଥ ଜମା କରିଥିବା ଜମାକାରୀ କ୍ଷତିଗ୍ରସ୍ତ ହେଲେ- ସେତେବେଳେ ଏହି ଦୀର୍ଘଦିନର ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠିଲା।
ବ୍ୟାଙ୍କ୍ରେ ଜମା ଯେ ସୁରକ୍ଷିତ ତାହା ଏକ ପ୍ରହେଳିକା ବୋଲି ଅନୁଭବ ହେବା ସହ ବ୍ୟାଙ୍କ୍ଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନିୟନ୍ତ୍ରଣରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କଲା। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ପ୍ରସଙ୍ଗକୁ ବଜେଟ୍ ଭାଷଣରେ ଅନ୍ତର୍ଭୁକ୍ତ କରିଛନ୍ତି। କିନ୍ତୁ ବଜେଟ୍ ବ୍ୟବସ୍ଥାରେ ଏଭଳି ସ୍କାମ୍ ଆଉଥରେ ଯେମିତି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବା ବଦଳରେ ବ୍ୟାଙ୍କିଙ୍ଗ୍ ନିୟନ୍ତ୍ରଣ ଆଇନରେ ସଂଶୋଧନ ଆଣି ସମବାୟ ବ୍ୟାଙ୍କ୍ଗୁଡ଼ିକୁ ଅଧିକ୍ରିୟାଶୀଳ କରିବା ପାଇଁ ବ୍ୟବସ୍ଥା ଆପଣାଯାଇଛି। ବିଶେଷକରି ରିଜର୍ଭ ବ୍ୟାଙ୍କ୍ ତତ୍ତ୍ଵାବଧାନରେ କିପରି ସମବାୟ ବ୍ୟାଙ୍କ୍ଗୁଡ଼ିକରେ ନିବେଶ ବୃଦ୍ଧି ହେବ ସେଥିଲାଗି ବ୍ୟବସ୍ଥା ହୋଇଛି। ଏହା ଅନୁସାରେ ରିଜର୍ଭ ବ୍ୟାଙ୍କ୍କୁ ତଦାରଖ କ୍ଷମତା ଦିଆଯିବା ପାଇଁ ଆବଶ୍ୟକ ବିଧେୟକ ମୋଦି ସରକାରଙ୍କ ଦ୍ଵାରା ପାରିତ କରାଯାଇଛି। ଫଳରେ ରିଜର୍ଭ ବ୍ୟାଙ୍କ ଦେଶର ୧୫୪୦ ସମବାୟ ବ୍ୟାଙ୍କ୍ରେ ୮.୬ କୋଟି ଜମାକାରୀଙ୍କ ସ୍ଵାର୍ଥ ସୁରକ୍ଷିତ ରହିବ ବୋଲି ଆଶା କରାଯାଇଛି। ଏହି ବିଧେୟକ ଅନୁସାରେ ରିଜର୍ଭ ବ୍ୟାଙ୍କ ବିଭିନ୍ନ ସମୟରେ ନିୟନ୍ତ୍ରଣ ପାଇଁ ଜାରି କରୁଥିବା ନିର୍ଦ୍ଦେଶାବଳୀକୁ ମାନିବା ଲାଗି ବାଧ୍ୟ ହେବେ। ପୂର୍ବଭଳି ସମବାୟ ବ୍ୟାଙ୍କ୍ର ରେଜିଷ୍ଟ୍ରାର୍ ବ୍ୟାଙ୍କ୍ର ଗୁରୁତ୍ଵ ତଥା ମାଲିକାନା ରକ୍ଷା ଓ ବୃଦ୍ଧି ଦିଗରେ କାର୍ଯ୍ୟ କରିବେ। କିନ୍ତୁ ସମବାୟ ବ୍ୟାଙ୍କ୍ଗୁଡ଼ିକ ଦୈନଦିନ କାର୍ଯ୍ୟକଳାପ ତଦାରଖ ତଥା ନିୟମ ଅନୁସାରେ ବ୍ୟାଙ୍କ୍ର ପରିଚାଳନା ଦାୟିତ୍ଵକୁ ନିର୍ବାହ କରିବା ଲାଗି ଜଣେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ( ସିଇଓ) ନିଯୁକ୍ତ କରିବେ। ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ୍ଗୁଡ଼ିକ ଭଳି ଏହି ସିଇଓଙ୍କ ନିଯୁକ୍ତି ଅଧିକାରୀ ( ସିଇଓ) ନିଯୁକ୍ତ କରିବେ। ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ୍ଗୁଡ଼ିକ ଭଳି ଏହି ସିଇଓଙ୍କ ନିଯୁକ୍ତି ଲାଗି ରହିଥିବା ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀକୁ ବ୍ୟାଙ୍କଗୁଡ଼ିକ ପାଳନ କରିବେ। ନିୟମିତ ବ୍ୟବଧାନରେ ସମବାୟ ବ୍ୟାଙ୍କ ଗୁଡ଼ିକରେ ଅଡିଟ୍ କରାଯିବ। ଯେଉଁଠାରେ ସମବାୟ ବ୍ୟାଙ୍କ୍ ଦୁର୍ବଳ ହୋଇଛି ସେଠାରେ ତାହାର ପରିଚାଳନା ଦାୟିତ୍ବ ସିଧାସଳଖ ଆର୍ବିଆଇ ଗ୍ରହଣ କରିବେ।
ବାସ୍ତବରେ ଏଭଳି ପୁନଃର୍ଗଠନ ତଥା ସଂସ୍କାର ଧର୍ମୀ କାର୍ଯ୍ୟକ୍ରମ ବହୁତ ପୂର୍ବରୁ ନିଆଯିବା କଥା। କାରଣ ଏହି ପଦକ୍ଷେପ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଅର୍ଥନୀତି ସୁଦୃଢ଼ ହେବା ସହ ଏକ ବ୍ୟବସ୍ଥିତ ତଥା ବିଶ୍ଵସନୀୟ ନେଣଦେଣ ବ୍ୟବସ୍ଥା ସୃଷ୍ଟି ହୋଇପାରିଥାଆନ୍ତା। ବ୍ୟାଙ୍କଗୁଡ଼ିକର ଉତ୍ତର ଦାୟିତ୍ଵ ବୃଦ୍ଧି ସହ ସେମାନଙ୍କ ପଛରେ ଲାଗିଥିବା ବିଭିନ୍ନ ସ୍କାମ ତଥା ଦୁର୍ନୀତିରୂପୀ କଳଙ୍କ ଲାଗି ନ ଥାଆନ୍ତା ।
ଉଦାହରଣ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ସହରୀ ସମବାୟ ବ୍ୟାଙ୍କଗୁଡ଼ିକୁ ଗ୍ରହଣ କରାଯାଉ। ଏହି ବ୍ୟାଙ୍କଗୁଡ଼ିକରେ କ୍ଷୁଦ୍ର ବ୍ୟବସାୟୀ, ଉଦ୍ୟୋଗୀ, ପ୍ରଫେସନାଲ୍ ଓ ନିର୍ଦ୍ଦିଷ୍ଟ ଆୟକାଦାତାଙ୍କ ସହ ଋଣ କାରବାର କରିଥାଆନ୍ତି। ଯଦି ଠିକଣା ଭାବେ ସେମାନଙ୍କ କାରବାର ପରିଚାଳନା ହୋଇଆନ୍ତା ତବେ ଉଭୟ ବ୍ୟାଙ୍କ୍ ଓ ଗ୍ରାହକଙ୍କ ଭିତରେ ଏକ ସୁ ସମ୍ପର୍କସ୍ଥାପନ ସହ ଗ୍ରାହକଙ୍କ ଜୀବନଧାରଣରେ ଏଖ ଉଲ୍ଲେଖନୀୟ ପରିବର୍ତ୍ତନ ସମ୍ଭବ ହୋଇପାରିଥାଆନ୍ତା । କିନ୍ତୁ ନ୍ୟସ୍ତସ୍ଵାର୍ଥ ସମ୍ବଳିତ ଗୋଷ୍ଠୀଙ୍କ ପ୍ରବେଶ ଫଳରେ ଏହି ସବୁ ବ୍ୟାଙ୍କ ସ୍ଥାନୀୟ ଲୋକଙ୍କ ଭରସା ତୁଟାଇଛନ୍ତି।
ଏହିପରି ବ୍ୟାଙ୍କ୍ଗୁଡ଼ିକର ସମସ୍ୟାକୁ ଅନୁଶୀଳନ କରିବା ଲାଗି ନିଯୁକ୍ତି ପାଇଥିବା ନରସିଂହମୂର୍ତ୍ତି କମିଟି ବ୍ୟାଙ୍କ୍ ଗୁଡ଼ିକ କାହିଁକି ଅବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ ହେଉଛନ୍ତି ସେଗୁଡ଼ିକ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ସେଗୁଡ଼ିକ ହେଲା: ପର୍ଯ୍ୟାପ୍ତ ପୁଞ୍ଜି ପାଣ୍ଠି ଅଭାବ, ଜାଲି ସଦସ୍ୟ, ଋଣ ଦେବା କ୍ଷମତାର କେନ୍ଦ୍ରୀକରଣ, ନିଜ ବନ୍ଧୁବାନ୍ଧବ ତଥା ପରିଜନଙ୍କୁ ଋଣ ପ୍ରଦାନ, ଋଣ ଆଦାୟରେ ଅବହେଳା ପ୍ରଭୃତି। ଏହିଭଳି ଅଭାବ ଜାରି ରହିଥିବାବେଳେ କିନ୍ତୁ ବ୍ୟାଙ୍କ ସଂଖ୍ୟା ଓ ଜମାକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୯୯୧ରେ ଦେଶରେ ସମବାୟ ବ୍ୟାଙ୍କ ସଂଖ୍ୟା ୧୩୦୭ ଥିଲା। ଏଥିରେ ସମୁଦାୟ ୮୬୦୦ କୋଟି ଟଙ୍କା ଜମା ରହିଥିଲା। ୨୦୦୪ ବେଳକୁ ବ୍ୟାଙ୍କ ସଂଖ୍ୟା ୨୧୦୫ ହୋଇଥିବାବେଳେ ଏଥିରେ ଜମା ପୁଞ୍ଜି ୧ ଲକ୍ଷ କୋଟିକୁ ବଢ଼ିଥିଲା। ପରବର୍ତ୍ତୀ ସମୟରେ ବ୍ୟାଙ୍କ୍ ପରିଚାଳନାରେ ତ୍ରୁଟି ହେତୁ ଯଦିଓ ସମବାୟ ବ୍ୟାଙ୍କ୍ ସଂଖ୍ୟା ଦେଶରେ ୧୫୦୪୦କୁ ଖସି ଆସିଥିଲା କିନ୍ତୁ ଜମା ରାଶିରେ ବଢ଼ି ଚାଲିଥିଲା। ପ୍ରାୟ ୫ଲକ୍ଷ କୋଟି ଟଙ୍କାକୁ ଏହି ପାଣ୍ଠି ବୃଦ୍ଧି ହେବା ସହ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଥିଲା। ଏହାର ଏକ ଉଦାହରଣ ହେଉଛି ପିଏମ୍ସି ସ୍କାମ୍। ପିଏମ୍ସିର କାରବାର ୭ଟି ରାଜ୍ୟରେ ପରିଚାଳିତ ହେଉଥିଲା। ଯେଉଁଥିରେ ସମୁଦାୟ ଜମା ୧୧୬୦୦ କୋଟି ରହିଥିବା ବେଳେ ସମୁଦାୟ ଜାଲି ଆକାଉଣ୍ଟ ସଂଖ୍ୟା ଥିଲା ୨୧ ହଜାର। ଏହି ଆକାଉଣ୍ଟଗୁଡ଼ିକ ଦ୍ଵାରା ବ୍ୟାଙ୍କ୍ର ୭୦ ପ୍ରତିଶତ ସମ୍ପତ୍ତି ଲୁଟ୍ ହୋଇଥିଲା, ଯାହାର ସମୁଦାୟ ମୂଲ୍ୟ ହେଉଛି ୬୫ ହଜାର କୋଟି। ଏବେ ଏହି ବ୍ୟାଙ୍କ୍ର ପରିଚାଳନା ଆର୍ବିଆଇ ହାତରେ ନ୍ୟସ୍ତ ରହିଛି। ଏହି ପୃଷ୍ଠଭୂମିରେ ଏବେ ଆର୍ବିଆଇର ପ୍ରତ୍ୟକ୍ଷ ପରିଚାଳନାକୁ ୨୫ଟି ସମବାୟ ବ୍ୟାଙ୍କ୍ର ପରିଚାଳନା ଆସିଅଛି। ଏହାଦ୍ଵାରା ସମ୍ପୃକ୍ତ ବ୍ୟାଙ୍କ ଗୁଡ଼ିକରେ ପାଣ୍ଠି ପରିଚାଳନା ସୁରକ୍ଷିତ ଓ ବ୍ୟବସ୍ଥିତ ହେବା ସମ୍ଭାବନା ବୃଦ୍ଧି ପାଇଛି।
ସମବାୟ ବ୍ୟାଙ୍କ ଗୁଡ଼ିକରେ ଏପରି ଅବ୍ୟବସ୍ଥା ଦେଖି ୨୦୦୨ ମସିହାରେ କେନ୍ଦ୍ର ସରକାର ଏହାର କିଛି ମୂଳ କାରଣ ସାମ୍ନାକୁ ଆଣିଥିଲେ। ସେଗୁଡ଼ିକ ଭିତରେ ପ୍ରଧାନ ସମସ୍ୟା ହେଉଛି ଯୁଗ୍ମ ପରିଚାଳନା କ୍ଷମତା। ଯେତେବଳେ ବ୍ରଶଙ୍କର ପରିଚାଳନା ବୋର୍ଡ଼କୁ ସରକାର ରାତାରାତି ଭାଙ୍ଗି ଦିଅନ୍ତି ସେତେବେଳ ଏହାର ପରିଚାଳନା ରେଜିଷ୍ଟ୍ରାର ଏବଂ ରିଜର୍ଭ ବ୍ୟାଙ୍କ ଉପରେ ନ୍ୟସ୍ତ ହୋଇଥାଏ। ଆଉ ସେତିକିବେଳେ ଉଭୟ ପରସ୍ପରକୁ ଦୋଷାରୋପ କରିଥାଆନ୍ତି। ଏହି ତଦନ୍ତ ପରେ ସରକାରଙ୍କ ପକ୍ଷରୁ କିଛି ଗୁଣାତ୍ମକ ପରାମଶ; ଜାରି କରାଯାଇଥିଲା। ସେଗୁଡ଼ିକ ହେଲା: ବ୍ୟାଙ୍କର ପରିଚାଳନା ବୋର୍ଡ଼ରେ ପ୍ରଫେସନାଲ୍ ବ୍ୟଙ୍କିଙ୍ଗ, ଫାଇନାନ୍ସ, ଅଡିଟ୍ ପ୍ରଭୃତି କ୍ଷେତ୍ରର ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବା, ବାଣିଜ୍ୟିକ ବ୍ୟାଙ୍କ୍ଗୁଡ଼ିକ ଜମା ରାଶି ଉପରେ ଯେଉଁ ସୁଧ ଦେଉଛନ୍ତି, ତାହାଠୁ ସର୍ବାଧିକ ୨ ପ୍ରତିଶତ ଅଧିକ ସୁଧରେ ନିଜ ଜମାକାରୀଙ୍କୁ ଲାଭ ଦେବା, ୨.୫ ଲକ୍ଷ ଟଙ୍କା ଜମା ଉପରେ ଗ୍ରାହକଙ୍କୁ ଗ୍ୟାରେଣ୍ଟି ପ୍ରଦାନ କରିବା ପ୍ରଭୃତି। ଗଲା ୧୬ ବର୍ଷ ହେଲା ଏହି ବ୍ୟବସ୍ଥାରେ ଅଳନ୍ଧୁ ଜମାଟ ବାନ୍ଧିବାରେ ଲାଗିଛି। ଏହି କ୍ଷେତ୍ରରେ କେନ୍ଦ୍ର ସରକାର ଜମାକାରୀଙ୍କ ଆସ୍ଥା ବୃଦ୍ଧି ଲାଗି ୫ ଲକ୍ଷ ଟଙ୍କା ଜମା ରାଶି ଯାଏଁ ବୀମା ଘୋଷଣା କରିଛନ୍ତି। ଅର୍ଥାତ୍ ବ୍ୟାଙ୍କ୍ ଡୁବିଲେ ମଧ୍ୟ ସେହି ୫ ଲକ୍ଷ ଟଙ୍କା ମିଳିବା ନିଶ୍ଚିତ ହୋଇଛି।
ଯେହେତୁ ସମବାୟ ବ୍ୟାଙ୍କଗୁଡ଼ିକ ନିଜସ୍ଵ ସମ୍ବିଧାନ ଦ୍ଵାରା ପରିଚାଳିତ, ଏଣୁ ଆମେ ତାହାକୁଉଲ୍ଲଙ୍ଘନ କରିପାରିବା ନାହିଁ। ଏହି ଦୃଷ୍ଟିରୁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭଣ୍ଣର ଆର୍ ଗାନ୍ଧିଙ୍କ ତତ୍ତ୍ଵାବଧାନରେ ନିଯୁକ୍ତ କମିଟି ଏହି ସୁପାରିସ କରିଛନ୍ତି ଯେ, ଏହିଭଳି ବ୍ୟାଙ୍କରେ ନିଯୁକ୍ତି ନିର୍ଦ୍ଦେଶକମାନେ ସେମାନଙ୍କ କ୍ଷମତାକୁ ବାଣିଜ୍ୟିକ ସୂଚିତ ବ୍ୟାଙ୍କ୍ ଭଳି ‘ପରିଚାଳନା ବୋର୍ଡ’ ପାଖରେ ନିଜର କ୍ଷମତା ସମର୍ପଣ କରିବା ଦରକାର। ବର୍ଷ ପ୍ରାରମ୍ଭରୁ ରିଜର୍ଭ ବ୍ୟାଙ୍କ୍ ଏହି ପ୍ରସଙ୍ଗରେ ଆଉ ଏକ ନିର୍ଦେଶାବଳୀ ଜାରି କରି କହିଥିଲେ ଯେ, ଯେଉଁ ସମବାୟ ବ୍ୟାଙ୍କ୍ର ଜମାରାଶି ୧୦୦ କୋଟିରୁ ଅଧିକ ସେଠାରେ ଏକ ନିର୍ଦ୍ଦେଶକ ବୋର୍ଡ ଏବଂ ପରିଚାଳନା ବୋର୍ଡ଼ ଗଠନ କରାଯିବା ଦରକାର।
ପ୍ରଚଳିତ ସମବାୟ ବ୍ୟାଙ୍କ୍ର ପରିଚାଳନା ଧାରା ଓ ଏଥିରେ ସରକାର ତଥା ରିଜର୍ଭ ବ୍ୟାଙ୍କ୍ ଦ୍ଵାରା ଗଠିତ କମିଟିମାନଙ୍କର ମତାମତକୁ ଲକ୍ଷ୍ୟ କଲେ ଏହା ଅନୁଭବ ହୁଏ ଯେ, ସମ୍ପ୍ରତି ଏହି ଧାରାରେ କଠୋର ବ୍ୟବସ୍ଥା ଆପଣାଯିବା ଆବଶ୍ୟକ ରହିଛି। ଲୋକଙ୍କ ଜମା ପୁଞ୍ଜିକୁ ସୁରକ୍ଷିତ କରିବା ଲାଗି କଠୋର ନିୟମ ପ୍ରଣୟନ ଓ ଏହାର ପାଳନ ପାଇଁ ଶକ୍ତ ବ୍ୟବସ୍ଥା ଆପଣାଯିବା ଓ ଏହାର ଠିକଣା ତଦାରଖ କରାଯିବା ଦ୍ଵାରା ‘ପରିଚାଳନା ପାଇଁ ନିଯୁକ୍ତ ଲୋକଙ୍କ’ ଦ୍ଵାରା ଠକେଇକୁ ରୋକାଯାଇପାରିବ।