ନୂଆଦିଲ୍ଲୀ: କୋରୋନା ସଙ୍କଟରେ ତେଲ ବୃଦ୍ଧି ଚିନ୍ତା । 20 ଦିନ ଧରି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ । ବଡ କଥା ହେଉଛି ଡିଜେଲ ଦାମ ଇତିହାସରେ ପ୍ରଥମ ଥର ପାଇଁ ପେଟ୍ରୋଲକୁ ଟପିଛି । ଆଉ ଏହାର ପ୍ରଭାବ ସିଧା ମାଲ ପରିବହନ ଭଡା ଉପରେ ପଡିଥାଏ । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ହେବା ଆଶଙ୍କା ଦେଖାଦେଇଛି ।
20 ଦିନ ମଧ୍ୟରେ ଦିଲ୍ଲୀରେ ଡିଜେଲ ଦାମ ଲିଟର ପିଛା 10 ଟଙ୍କା 80 ପଇସା ବଢିଛି । ଦେଶର ଅନ୍ୟସ୍ଥାନରେ ମଧ୍ୟରେ ଡିଜେଲ ଲିଟର ପ୍ରତି 9 ଟଙ୍କା 10 ପଇସା ବୃଦ୍ଧି ହୋଇଛି । ଯଦି ଏଭଳି ହୁଏ ତେବେ ଟ୍ରକ ଚଲାଇବା କଷ୍ଟକର ହୋଇପଡିବ ବୋଲି ପରିବହନ ସଂଘ କହିଛି । ତେବେ ମାଲ ପରିବହନ ଭଡା ଚାହିଦା ଓ ଯୋଗାଣ ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ସମୟରେ ପରିବହନ ଚାହିଦା ସାମାନ୍ୟ କମ ଥିବାରୁ ଭଡା ବଢିନି । ହେଲେ ଆଗକୁ ସ୍ଥିତି ସୁଧୁରିବା ସହ ଯଦି ଡିଜେଲ ମହଙ୍ଗା ହୁଏ ତେବେ ଟ୍ରକ ମାଲିକ ସଂଘ ଓ ଟ୍ରାନ୍ସପୋର୍ଟ କମ୍ପାନୀଗୁଡିକ ଭଡା ବଢାଇବାକୁ ଜଣାଇଛନ୍ତି ।
ପରିବହନ କାରବାରୀଙ୍କ କହିବା ଅନୁଯାୟୀ ବର୍ତ୍ତମାନର ଡିଜେଲ ଦାମ ସହ ମାଲ ଭଡା ସର୍ବନିମ୍ନ 10 ପ୍ରତିଶତ ବୃଦ୍ଧି ହେଲେ ହିଁ ସେମାନଙ୍କ ଖର୍ଚ୍ଚର ଭରଣପୋଷଣ ହେବ । କୋଭିଡ-19 ଲକଡାଉନ କଟକଣା ଯୋଗୁଁ ଆର୍ଥିକ ଗତିବିଧି ଠପ । କାମଧନ୍ଦା ନ ପାଇ ଜୀବିକା ହରାଉଛନ୍ତି ଲୋକ । ଆଉ ଏଭଳି ସମୟରେ ବୋଝ ଉପରେ ନଳିବା ବିଡା ସାଜିଛି ତେଲ ବୃଦ୍ଧି ଚଡକ । ଯଦି ତେଲ ଦାମରେ ବ୍ରେକ ନ ଲାଗେ ତେବେ ମହଙ୍ଗା ମାଡ଼ରେ ଖାଉଟି ଚେପା ହେବା ଥୟ ।