ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ପାଇଁ ସିନେମା ହଲଗୁଡିକରେ ଲକ ପଡିଛି । ଦୀର୍ଘ 5 ମାସ ଧରି ବନ୍ଦ ରହିବା ଯୋଗୁଁ ଏବେ ଆର୍ଥିକ ସଙ୍କଟରେ ସିନେମା ହଲ ମାଲିକ ଓ ଏହା ସହ ଜଡିତ ଲୋକମାନେ । ଏହାକୁ ନଜରରେ ରଖି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ନିଷ୍ପତ୍ତି ନେଇଛି ।
ଅଗଷ୍ଟ ମାସରେ ଦେଶର ସମସ୍ତ ସିନେମା ହଲଗୁଡିକୁ ଖୋଲିବାକୁ ଗୃହମନ୍ତ୍ରଣାଳୟକୁ ସୁପାରିଶ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଜୁଲାଇ 31ରେ ଦ୍ବିତୀୟ ପର୍ଯ୍ୟାୟ ଅନଲକ ଶେଷ ହେଉଛି । ଯଦି ଅଗଷ୍ଟରୁ ତୃତୀୟ ପର୍ଯ୍ୟାୟ ଅନଲକ ପ୍ରକ୍ରିୟା ଲାଗୁ ହୁଏ, ତେବେ ସିନେମା ହଲଗୁଡିକୁ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ଶୁକ୍ରବାର CII କମିଟି ବୈଠକରେ ସଚିବ ଅମିତ ଖେର ଅଗଷ୍ଟ 1 କିମ୍ବା 31 ମଧ୍ୟରେ ସିନେମା ହଲ ଖୋଲିବାକୁ ସୁପାରିଶ କରିଛନ୍ତି ।
ସିନେମା ହଲ ଖୋଲାଗଲେ କୋଭିଡ ନିୟମକୁ ପାଳନ କରାଯିବ । ସାମାଜିକ ଦୂରତା ବଜାୟୀ ରଖିବାକୁ ଗୋଟିଏ ଧାଡିରେ ଗୋଟିଏ ସିଟ ପରେ ଅନ୍ୟ ସିଟରେ ଦର୍ଶକ ବସିବେ । ଏହା ସହ ପଛର ଗୋଟିଏ ଧାଡିକୁ ସମ୍ପୂର୍ଣ୍ଣ ଖାଲି ରଖାଯିବ । ଏହି ପରି ଭାବରେ ଦେଶର ସମସ୍ତ ଖୋଲିବାକୁ ଅନୁମତି ମାଗିଛନ୍ତି । ସିନେମା ହଲ ଖୋଲିବ କି ନାହିଁ ଏହାର ଚୂଡାନ୍ତ ନିଷ୍ପତ୍ତି ଗୃହମନ୍ତ୍ରଣାଳୟ ସଚିବ ଅଜୟ ଭଲ୍ଲା ନେବେ ।
ସେପଟେ, ବୈଠକରେ ଉପସ୍ଥିତି ଥିବା କେତେକ ହଲ ମାଲକ ଏପରି ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି । ଗୋଟିଏ ଧାଡିରେ ଛାଡି ଛାଡି ବସିବା ଓ ପର ଧାଡିକୁ ଖାଲି ରଖିବା ଦ୍ବାରା ହଲକୁ ମାତ୍ର 25 ପ୍ରତିଶତ ଦର୍ଶକ ଆସିବେ । ଏହା ଦ୍ବାରା ସେମାନେ ଅଧିକ କ୍ଷତି ସହିବେ ବୋଲି କହିଛନ୍ତି ।